Latest Odisha News

BREAKING NEWS

ଆସନ୍ତାକାଲି ପଞ୍ଚଭୂତରେ ଲୀନ ହେବ ଡକ୍ଟର ସିଂହଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ସବୁଦିନ ପାଇଁ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ବିଚକ୍ଷଣ ଅର୍ଥଶାସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶନିବାର ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବା ନେଇ କଂଗ୍ରେସ ପକ୍ଷରୁ ସୂଚିତ କରାଯାଇଛି ।

ତେବେ ଏନେଇ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଥିବା ବେଳେ କଂଗ୍ରେସ ଏନେଇ ଆନୁଷ୍ଠାନିକ ଭାବେ ଏକ ଘୋଷଣା ପତ୍ର ଜାରି କରିବା ନେଇ ସେ ମତ କହିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ଆସନ୍ତାକାଲି ଅର୍ଥାତ୍ ଶନିବାର ଅନୁଷ୍ଠିତ ହେବ ।

ତେବେ ବର୍ତ୍ତମାନ ଦିଲ୍ଲୀ ସ୍ଥିତ ଥ୍ରୀ ମୋତିଲାଲ ନେହରୁ ମାର୍ଗ ତାଙ୍କ ବାସଭବନରେ ମନମୋହନଙ୍କ ପାର୍ଥୀବ ଶରୀର ରହିଛି ।  ପ୍ରଧାନମନ୍ତ୍ରୀ ମୋଦି ଏବଂ ଜେପି ନଡ୍ଡା ଆଜି ଡକ୍ଟର ସିଂ ବାସଭବନ ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି । ଏଥିସହିତ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ଗତକାଲି ରାତିରେ ମଧ୍ୟ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର ତାଙ୍କର ଶେଷକୃତ୍ୟ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ ଥିଲେ ମନମୋହନ ସିଂହ । ଅତି ସରଳ, ଅତି ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହିଥିଲେ । ଗତବର୍ଷ ଏପ୍ରିଲରେ ରାଜ୍ୟସଭା ସାଂସଦ ଭାବରେ ଅବସର ନେଇଥିଲେ ମନମୋହନ ସିଂହ । ତାଙ୍କୁ ୧୯୮୭ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସେଲିବ୍ରିଟି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.