Latest Odisha News

ଆଜି ଶେଷ ଦର୍ଶନ ପାଇଁ ଯାଇପାରନ୍ତି ମୋଦି, ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡକ୍ଟର ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ।

ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଆଜି ପୂର୍ବାହ୍ନ ୧୧ ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଗତକାଲି ବିଳମ୍ବିତ ରାତିରେ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଡକ୍ଟର ସିଂହଙ୍କ ବାସଭବନରେ ପହଞ୍ଚିଥିଲେ। କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗୁରୁବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ବେଲାଗାଭିରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ସେପଟେ ଆଜି ଅନ୍ତିମ ଦର୍ଶନ ପାଇଁ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି l

ସେପଟେ ମନମୋହନ ସିଂହଙ୍କ ଶେଷକୃତ୍ୟ ଆଜି ନୁହଁ ବରଂ କାଲି ହୋଇପାରେ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଂଗ୍ରେସ ଜେନେରାଲ ସେକ୍ରେଟାରୀ କେସି ଭେନୁଗୋପାଲ । ତେବେ ଏନେଇ କୌଣସି ଆନୁଷ୍ଠାନକି ଭାବେ ଘୋଷଣା କରାଯାଇନାହିଁ l ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ବାସଭବନ ଆଗରେ ତାଙ୍କର ଶେଷ ଦର୍ଶନ ନିମନ୍ତେ ଲୋକଙ୍କ ଭିଡ ଜମିଛି । ସେପଟେ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ଯାଇପାରେ l ତେବେ ଏନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ଭବନରେ ଜାତୀୟ ପତାକାକୁ ଅଧା ତଳକୁ କରାଯାଇଛି l

ଦେଶର ୧୪ଶ ପ୍ରଧାନମନ୍ତ୍ରୀ ଭାବରେ ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଦେଶର ନେତୃତ୍ବ ନେଇଥିଲେ l ୧୦ ବର୍ଷ ଧରି ଦେଶର ନେତୃତ୍ବ ନେଇଥିବା ମନମୋହନଙ୍କୁ ଆର୍ଥିକ ବିଦ୍ବାନ ଭାବରେ ଜଣାଯାଏ। ଯେତେବେଳେ ଦେଶର ଅର୍ଥନୀତି ଦୋହଲି ଯାଇଥିଲା ଏପରିକି ବିଶ୍ୱ ସହ ଦେଶର ସମ୍ପର୍କ ବିଗିଡ଼ି ଯାଇଥିଲା ସେତେବେଳେ ବିଶ୍ୱ ସହ ଭାରତକୁ ଯୋଡ଼ି ଅର୍ଥନୀତିକୁ ଅନ୍ଧାର ଗଳିରୁ ଟ୍ରାକ୍‌କୁ ଟାଣି ଆଣିଥିଲେ ମନମୋହନ ।.

Leave A Reply

Your email address will not be published.