Latest Odisha News

BREAKING NEWS

ଭାରତୀୟ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁକାବିଲା କରିବା ଆମ ପାଇଁ କଠିନ: ଜର୍ମାନୀ ମହିଳା ଦଳର କୋ-କ୍ୟାପଟେନ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ସୋମବାର) ଜର୍ମାନୀ ମହିଳା ହକି ଦଳ  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । କୋ-କ୍ୟାପଟେନ୍ ଲିନିୟା ୱିଡେମାନ୍ ଏବଂ ସାରା ଷ୍ଟ୍ରସ୍ ଙ୍କ ନେତୃତ୍ୱରେ ଜର୍ମାନୀ ମହିଳା ଦଳ ୨୧ ଏବଂ ୨୨ ଫେବୃଆରୀରେ ଆୟୋଜକ ଭାରତ ଦଳ ସହ ମୁହାଁମୁହିଁ ହେବେ । ଏହା ପୂର୍ବରୁ ୧୫ ଏବଂ ୧୬ ଫେବୃଆରୀରେ ସ୍ପେନ ବିପକ୍ଷରେ ଖେଳିବେ ଜର୍ମାନୀ ମହିଳା ହକି ଦଳ ।

ବିମାନବନ୍ଦରରେ ପହଞ୍ଚିବା ପରେ କୋ- କ୍ୟାପଟେନ ୱିଡେମାନ କହିଛନ୍ତି, “କଳିଙ୍ଗ ଷ୍ଟାଡିୟମରେ ସବୁବେଳେ ଅବିଶ୍ୱସନୀୟ ପରିବେଶ ରହିଥାଏ ଏବଂ ଆମେ ଏଠାରେ ଖେଳିବାକୁ ଅପେକ୍ଷା କରି ରହିଛୁ। ଆମେ ଜାଣୁ ଘରୋଇ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁହାଁମୁହିଁ ହେବା କଠିନ ହେବ, କିନ୍ତୁ ଆମେ ଆମର ପ୍ରଦର୍ଶନ ଉପରେ ଧ୍ୟାନ ଦେବୁ ଏବଂ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ। ”

ସେହିପରି ତାଙ୍କ ସାଥୀ ଖେଳାଳିଙ୍କ ଚିନ୍ତାଧାରାକୁ ଅନୁକରଣ କରି କୋ-କ୍ୟାପଟେନ ଷ୍ଟ୍ରସ୍ କହିଛନ୍ତି, “ମୁଁ ଭୁବନେଶ୍ୱରକୁ ଫେରି ବହୁତ ଭଲ ଅନୁଭବ କରୁଛି। ଆମେ ତିନି ବର୍ଷ ପୂର୍ବେ ଏଠାରେ ଖେଳିଥିଲୁ ଏବଂ ଏହା ଏକ ଚମତ୍କାର ଅନୁଭୂତି ଥିଲା । କିଛି ଅଭିଜ୍ଞ ଖେଳାଳିମାନେ ଅଲିମ୍ପିକ୍ସ ପରେ ବ୍ରେକ୍ ନେଇ ଟିମ୍ କୁ ଫେରିଛନ୍ତି , ଯାହାଦ୍ବାରା ଆମକୁ ଏକ ନୂଆ ଦଳ ମିଳିଛି । ଆମେ ଆମର ମୂଲ୍ୟବାନ ପଏଣ୍ଟ ସୁରକ୍ଷିତ କରିବାକୁ ଧ୍ୟାନ ଦେଉଛୁ । ”

ଗତ ସଂସ୍କରଣ ପ୍ରୋ ଲିଗରେ ଜର୍ମାନୀ ରନର୍ସଅପ୍ ହୋଇଥିଲା । କିନ୍ତୁ ସେମାନେ ଚଳିତ ବର୍ଷ ଫର୍ମ ପାଇଁ ସଂଘର୍ଷ କରିଛନ୍ତି। ଚାରୋଟି ମ୍ୟାଚରୁ ମାତ୍ର ଦୁଇଟି ଡ୍ର ସହିତ ସେମାନେ ବର୍ତ୍ତମାନ ତିନି ପଏଣ୍ଟ ହାସଲ କରି ଟେବୁଲରେ ସପ୍ତମ ସ୍ଥାନରେ ରହିଛନ୍ତି । ପୂର୍ବରୁ ୧୩ଟି ଗୋଲ୍ ଖାଇ ସାରିଛନ୍ତି ଦଳ,ତେଣୁ ସେମାନେ ଆଗାମୀ ମ୍ୟାଚ ପୂର୍ବରୁ ନିଜର ଡିଫେନ୍ସକୁ ମଜବୁତ କରିବାକୁ ଚେଷ୍ଟା କରିବେ ।

ସୂଚନାଥାଉକି, ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବ ।

Comments are closed.