ପୁରୀ: ଉଠୁଛି ପଡୁଛି ବଡ଼ଦାଣ୍ଡ । ଜନସମୁଦ୍ର ଭିତରେ ଆଜି ଅଳ୍ପବାଟ ଯାଏଁ ଟଣାଗଲା ତିନି ରଥ । ବିଳମ୍ବରେ ଟଣାଗଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରାତି ୭ଟା ୪୫ ମିନିଟରେ ଟଣାଗଲା କାଳିଆ ଠାକୁରଙ୍କ ରଥ । ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା । ଏବେ ବି ସିଂହଦ୍ବାର ସମ୍ମୁଖରେ ଅଟକିଛି ନନ୍ଦିଘୋଷ ରଥ ।
ତେବେ ନନ୍ଦିଘୋଷ ରଥ ଟଣାରେ ଅହେତୁକ ବିଳମ୍ବର ପ୍ରମୁଖ କାରଣ ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା । ଅନୁକୂଳ ପାଗ ଯୋଗୁଁ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।
ଗତବର୍ଷ ଠାରୁ ଚଳିତବର୍ଷ ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ । କର୍ଡନ୍ ଭିତରେ ଅଧିକ ଲୋକ ପଶିବା ମଧ୍ୟ ଆଉ ଏକ କାରଣ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରେଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ତେବେ ବିଧି ରକ୍ଷା କରି ନନ୍ଦିଘୋଷ ଅଳ୍ପ ଗଡ଼ିବା ପରେ ରଥଟଣା ବନ୍ଦ କରାଗଲା ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ, ରଥଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା । ଆଜି ବଳଗଣ୍ଡି ଛକରେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକି ରହିଥିବା ବେଳେ, ସେହିପରି ଟାଉନ୍ ଥାନା ମରିଚିକୋଟରେ ଅଟକି ରହିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ।
Comments are closed.