ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ “ଦି ପ୍ରୋଟେକ୍ସନ ଅଫ ହୁମ୍ୟାନ ରାଇଟ୍ସ ଆକ୍ଟ-୧୯୯୩” ସଂକଳିତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଦ୍ୱାରା ସଂକଳିତ ଏହି ପୁସ୍ତକକୁ ଆଇନ ମନ୍ତ୍ରୀ ଲୋକସେବା ଭବନ ସ୍ଥିତ ନିଜ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ମାନବାଧିକାର ସୁରକ୍ଷା ଆଇନ, ଓଡ଼ିଶା ମାନବାଧିକାର ଆୟୋଗ ନିୟମାବଳୀ- ୨୦୦୩, ଓଡ଼ିଶା ମାନବାଧିକାର ଆୟୋଗ (ଅଧ୍ୟକ୍ଷ ଓ ସଭ୍ୟଙ୍କ ବେତନ, ଭତ୍ତା ଓ ସର୍ତ୍ତାବଳୀ) ନିୟମ- ୨୦୦୩, ଜାତୀୟ ମାନବାଧିକାର ଆୟୋଗ ନିୟମାବଳୀ- ୧୯୯୪, ଜାତୀୟ ମାନବାଧିକାର ଆୟୋଗ (ବାର୍ଷିକ ହିସାବ ବିବରଣୀ) ନିୟମାବଳୀ- ୧୯୯୬, ମିଳିତ ଜାତିସଂଘର ମାନବାଧିକାର ସଂଗଠନ ଓ ଢାଞ୍ଚାଗତ ବ୍ୟବସ୍ଥା, ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ଓ ପୋଲିସ ଅତ୍ୟାଚାର ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ସ୍ଥାନ ପାଇଛି।
ଉକ୍ତ ପୁସ୍ତକ ଆଇନଜୀବୀ,ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ସବୁ ବର୍ଗର ବ୍ୟକ୍ତିବିଶେଷ ମାନଙ୍କୁ ସହାୟକ ହେବା ସହ ମାନବାଧିକାର ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୁସ୍ତକର ପ୍ରକାଶକ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।