କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଏବେ କେନ୍ଦ୍ରାପଡା ହସ୍ପିଟାଲରେ। ୧୫ ନମ୍ବର କ୍ୟାବିନିରେ ଚିକିତ୍ସିତ ହେଉଛନ୍ତି। ଚାମେଲିଙ୍କ ଜୀବନ ପ୍ରତି ଭୟ ଥିବା କହିଛନ୍ତି ତାଙ୍କ ବାପା। ଚାମେଲିଙ୍କୁ ୨୦ ଜଣ ଲୋକ ଘେରି ରହିଥିବା ସେ ଅଭିଯୋଗ କରିଛନ୍ତି। ମେଡିକାଲରେ ସେମାନେ ଘେରି ରହିଥିବା କହିଛନ୍ତି ଚାମେଲିଙ୍କ ବାପା। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଘଟଣାକୁ ନେଇ ରାଜ୍ୟ ସରକାର ସେହି ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି।
ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣାପଡିବ। ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ତାକୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର୍ ଅବଗତ ଅଛନ୍ତି। ଘଟଣାକୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ କିଏ ସମ୍ପୃକ୍ତ କାହାର ଦୋଷ ଅଛି ସ୍ପଷ୍ଟତା ଆସିବ। କୌଣସି ଘଟଣା ଘଟିଲେ ତାକୁ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ। ଏହାକୁ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ। ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ।
ସେପଟେ ଏହାକୁ ନେଇ ବିଜେଡିର ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ନେତୃତ୍ୱରେ ଏକ ଦଳ ଚାମେଲିଙ୍କୁ ମେଡିକାଲରେ ଭେଟି ଆଲୋଚନା କରିଛନ୍ତି । ପରେ ସିଡିଏମଓଙ୍କ ସହ ଚାମେଲିଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆଜି ରାଜ୍ୟ ମହିଳା ବିଜେଡିର ଏକ ଟିମ୍ ଚାମେଲିଙ୍କୁ ଭେଟିବ । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଚାମେଲିଙ୍କୁ ଭେଟୁଛନ୍ତି । ଚାମେଲି ଜେଲ ଯିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜେଲ କର୍ତ୍ତୃପକ୍ଷ ଚାମେଲିଙ୍କୁ ପୁଣି ମେଡିକାଲ ପଠାଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଏବେ ବି ମହାକାଳପଡ଼ାରେ ଉତ୍ତେଜନା ଥମିବାର ନାଁ ନେଉନାହିଁ।
ଗୋଟିଏ ପଟେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ସଜାଗ ଥିବାବେଳେ, ଅନ୍ୟପଟେ ଜନତା ଓ ରାଜନୈତିକ ଦଳ ନ୍ୟାୟ ଦାବିରେ ଅଟଳ ଅଛନ୍ତି। ପ୍ରଶାସନ ଆଇନ ଅନୁସାରେ କାମ କରୁଛି ନା ଏହା ପଛରେ କୌଣସି ରାଜନୈତିକ ଚାପ ରହିଛି, ତାହାର ତଦନ୍ତ ପାଇଁ ଦାବି ହୋଇଛି। ଏହି ଘଟଣା ରାଜ୍ୟ ରାଜନୀତିକୁ ଯେ ବେଶ୍ ଗରମ କରିକି ରଖିଛି, ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ ଚାମେଲିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
