ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା। ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ। ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି। ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା କରୁଛି। ପୂର୍ବରୁ ହତ୍ୟାକାରୀ ଓ ସୁଟର ଯୋଗାଡ଼ କରିଥିବା ଅଭିଯୁକ୍ତଙ୍କୁ ଦୁଇଥର ରିମାଣ୍ଡରେ ନେଇ ପୋଲିସ ତଥ୍ୟ ଉଗାଳିଛି। ଏବେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କ ଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଚେଷ୍ଟା ଚାଲିଛି।
ସେହିପରି ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି। ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼ଯନ୍ତ୍ର କରୁଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି। ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି। ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୋଲିସ ତନାଘନା କରିଛି।
ଅନ୍ୟପଟେ ପୋଲିସ ମାମଲାର ଚାର୍ଜସିଟ୍ ଠିକ୍ ସମୟରେ କରିବାକୁ ଯୋଜନା କରିଛି। ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୋଲିସ ଯୋଗାଡ଼ କରିଛି। ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି। ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୋଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଏହାର ପ୍ରମାଣ ନ ମିଳିବା ଯାଏଁ ହତ୍ୟାକାଣ୍ଡ ପଛରେ ସୁପାରି ଦିଗଟି ଦୁର୍ବଳ ହେବାର ଆଶଙ୍କା ରହିଛି। ଯେହେତୁ ମାମଲାରେ ଏଯାଏଁ ଟଙ୍କା ଜବତ ନେଇ ପୋଲିସ ମୁହଁ ଖୋଲିନି ତେଣୁ ଚାର୍ଜସିଟ୍ ପୂର୍ବରୁ ତାହାକୁ ପ୍ରମାଣିତ କରିବା ଜରୁରି ହୋଇଛି।
Comments are closed.