Latest Odisha News

BREAKING NEWS

ଆଇନଜୀବୀଙ୍କ ଆନ୍ଦୋଳନ: ସରକାରଙ୍କ ସମେତ ସମସ୍ତ ବାର୍ ଅସୋସିଏସନକୁ ହାଇକୋର୍ଟଙ୍କ ନୋଟିସ

କଟକ: ଆଜି ପ୍ରଥମଥର ଲାଗି ଓଡ଼ିଶା ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ ବସି ଓଡ଼ିଶା ସରକାରଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ବାର୍ ଆସୋସିଏସନଗୁଡ଼ିକୁ ଆଇନଜୀବୀମାନଙ୍କ ଆନ୍ଦୋଳନ ବିରୋଧରେ ନୋଟିସ ଜାରି କରିଛନ୍ତି ।

ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ଯେଉଁ ୧୩ ଜଣ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ବସିଥିଲା ସେଥିରେ ଥିଲେ – ନ୍ୟାୟମୂର୍ତ୍ତି କେଏସ ଜାଭେରୀ, ସଞ୍ଜୁ ପଣ୍ଡା, ଏସକେ ମିଶ୍ର, ସିଆର୍ ଦାଶ, ଏକେ ରଥ, ବିଶ୍ୱଜିତ ମହାନ୍ତି, ବିଆର ଷଡ଼ଙ୍ଗୀ, ଡ଼ି ଦାଶ, ଏସ ପୂଜାହାରୀ, ବିଶ୍ୱନାଥ ରଥ, ଏସକେ ସାହୁ, ପ୍ରମଥ ପଟ୍ଟନାୟକ, କେଆର୍ ମହାପାତ୍ର ଏବଂ ଏକେ ମିଶ୍ର ପ୍ରମୁଖ । ଏହି ଖଣ୍ଡପୀଠ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ରାଜ୍ୟ ବାର୍ କାଉନସିଲର ଅଧ୍ୟକ୍ଷ, ବାର୍ କାଉନସିଲ ଅଫ ଇଣ୍ଡିଆଙ୍କ ସମେତ ସମ୍ପାଦକ ଏବଂ ସଭାପତି ଓଡ଼ିଶା ହାଇକୋର୍ଟ ବାର୍ କାଉନସିଲଙ୍କୁ ଏହି ନୋଟିସ ଜାରି କରିଛନ୍ତି । ଏହାବ୍ୟତୀତ ଯେଉଁ ଜିଲ୍ଲା ବାର୍ ଆସୋସିଏସନ ଗୁଡ଼ିକ ଆଜିର ଏହି ଆନ୍ଦୋଳନରେ ସାମିଲ୍ ରହିଛନ୍ତି ସେମାନଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।

ଆସନ୍ତା ଅକ୍ଟୋବର ୨୧ ସୁଦ୍ଧା ସମସ୍ତ କାର୍ଯ୍ୟାଳୟ ତଥା ଆସୋସିଏସନ ଗୁଡ଼ିକ ସେମାନଙ୍କର ଜବାବ ରଖିବାକୁ ଏହି ନୋଟିସରେ ନିର୍ଦ୍ଦେଶ ରହିଛି ।

ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ପିଟିସନ ଦାଏର ହୋଇଥିବା ପ୍ରତିକ୍ରିୟାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ସମଗ୍ର ରାଜ୍ୟର ଜିଲ୍ଲାମାନଙ୍କରେ ଥିବା ବାର୍ ଆସୋସିଏସନରେ ଥିବା ଆଇନଜୀବୀମାନେ ଆନ୍ଦୋଳନ କରିବା ଯୋଗୁଁ କୋର୍ଟ କାର୍ଯ୍ୟ ଉପରେ ଏହା ଅହେତୁକ ଭାବେ କୁପ୍ରଭାବ ପଡୁଛି ।

“ସୂଚନା ମୁତାବକ, ଅନ୍ୟାୟ ବିରୋଧରେ ଏବେ ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନ ଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ମୁଁ ଜାଣିପାରିଲି ନାହିଁ ଯେ, କେଉଁ ଆଧାରରେ ଏକ ୧୪ ଜଣିଆ ଖଣ୍ଡପୀଠ ବସିବାକୁ ବାଧ୍ୟ ହୋଇଥିଲେ,” ବୋଲି ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ଗଣମାଧ୍ୟମକୁ ସୂଚନାଦେଇ ଏହା କହିଛନ୍ତି ।

Leave A Reply

Your email address will not be published.