Latest Odisha News

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ମାଙ୍କୁ ଆବାହନ ସହ ମଣ୍ଡପରେ ଘଟ ସ୍ଥାପନ

ଢେଙ୍କାନାଳ : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆବାହନରେ ସବୁଠି ଉତ୍ସବର ମାହୋଲ  । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଧୂମଧାମ ସହକାରେ  ଅନୁଷ୍ଠିତ ହେଉଛି । କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି  ।

ରଙ୍ଗୀନ ଆଲୋକମାଳା ସାଙ୍ଗକୁ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ପୁରା ସହର । ଆଜି ସକାଳେ ବିଭିନ୍ନ ନଦୀ ଏବଂ ପୁଷ୍କରିଣୀରେ କଳସ ବୁଡାଇ ଗଜଲକ୍ଷ୍ମୀଙ୍କୁ  ଆବାହନ କରିବା ସହ ପୂଜା ମଣ୍ଡପରେ ମାଆଙ୍କର ଘଟ ସ୍ଥାପନ କରାଯାଇଛି । ଆଜି ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସନ୍ଧ୍ୟା ପରିବର୍ତ୍ତେ ଭୋରୁ କଳସ ବୁଡାଇବା ନୀତି ସମ୍ପନ୍ନ ହୋଇଛି । ପ୍ରତିଦିନ ବିଧି ମୁତାବକ  ହୋମ, ଯଜ୍ଞ, ଘଟପୂଜନ , ମନ୍ତ୍ରପାଠ ପ୍ରଭୃତି କରାଯିବ  ।

ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ମା ପୂଜା ପାଉଥିବାବେଳେ କେନ୍ଦ୍ରାପଡାରେ ୬୭ ଗୋଟି ପୂଜା ମଣ୍ଡପରେ ମାଆଙ୍କର ପୂଜା ଅନୁଷ୍ଠିତ ହେଉଛି । ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା। କେନ୍ଦ୍ରାପଡାରେ ୭ ଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ନଭେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ମାଆଙ୍କର ଭସାଣୀ ଉତ୍ସବ ହେବ  । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କୁ କଡାକଡି କରାଯାଇଛି ।

Leave A Reply

Your email address will not be published.