ଆଫଗାନିସ୍ତାନ : ଆସନ୍ତା ସପ୍ତାହରେ ଆଫଗାନିସ୍ତାନରେ ଅଧିକ ହେବ ଆତଙ୍କବାଦୀ ହମଲା ଓ ଆତ୍ମଘାତୀ ବିସ୍ଫୋରଣ । ଦେଶରୁ ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇବ । ଏନେଇ ସତର୍କ ସୂଚନା ଜାରି କରିଛି ଆମେରିକା । ହ୍ବାଇଟ୍ ହାଉସ ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି, ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହେବେ । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନରାଲ ଫ୍ରାଙ୍କ ମ୍ୟାକନଜି କହିଛନ୍ତି, ଆତଙ୍କବାଦୀମାନେ ଅଧିକ ବିସ୍ଫୋରଣ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ।
ସେପଟେ ଆଫଗାନିସ୍ତାନରେ ଫସିଥିବା ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ଦେଖା ଦେଇଛି ତତ୍ପରତା । କାବୁଲ ବିମାନ ବନ୍ଦରରେ ଏବେ ବି ହଜାର ହଜାର ନାଗରିକ ଉଦ୍ଧାର ଆଶାରେ ରହିଛନ୍ତି । ଖାଦ୍ୟ ପାନୀୟ ବିନା ହାହାକାର ଅବସ୍ଥାରେ କାଳ କାଟୁଛନ୍ତି । ବିମାନ ବନ୍ଦରଠାରୁ ୫୦୦ ମିଟର ଦୂରରେ ତାଲିବାନ କର୍ଡନ ତିଆରି କରିଥିବା ସତ୍ତ୍ବେ ଦେଶଛାଡି ପଳାୟନ ଲାଗି ଚାହୁଁଥିବା ଲୋକଙ୍କ ଭିଡ ଜମିବାରେ ଲାଗିଛି । ଜାତିସଂଘ ଶରଣାର୍ଥୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଦେଶର ପ୍ରାୟ ୫୦ ଲକ୍ଷ ଲୋକ ଅନ୍ୟ ଦେଶକୁ ଯିବା ଅପେକ୍ଷାରେ ଅଛନ୍ତି । ଅନେକ ଦେଶର ସୀମାନ୍ତ ଅଞ୍ଚଳକୁ ଚାଲି ଯାଉଛନ୍ତି । ବ୍ରିଟେନ ଓ ଇଟାଲିର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ, ଆମେରିକା ପାଇଁ ମଙ୍ଗଳବାର ରହିଛି ଡେଡଲାଇନ୍ ।
Comments are closed.