Latest Odisha News

୨୪ ଦିନର ସଂଘର୍ଷ ପରେ ଆଖିବୁଜିଲା କଲରାପତରିଆ ବାଘ

ନୂଆପଡା : ଅସୁସ୍ଥ କଲରାପତରିଆ ବାଘର ଆଜି ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି । ପୂର୍ବରୁ ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା । ଦୀର୍ଘ ୨୪ ଦିନପରେ ଆଜି ବନବିଭାଗ କାର୍ଯ୍ୟାଳୟରେ ବାଘର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର ତ୍ରିପାଠୀ ।

ଗତ ଏପ୍ରିଲ ୧୬ ତାରିଖରେ ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁରୁ ଠାବ ହୋଇଥିଲା କଲରାପତରିଆ ବାଘ । ଗାଁ ନିକଟରେ ବାଘଟି ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଟିମ୍ ବାଘକୁ କାବୁ କରିବା ପରେ ବାଘଟି ଅସୁସ୍ଥ ଥିବା ଜଣାପଡ଼ିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବାଘଟି ମୁର୍ଚ୍ଛା ଯାଇଥିବା ଅନୁମାନ କରାଯାଉଥିବାରୁ ତାକୁ ତୁରନ୍ତ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏକ ମାସ ଧରି ନୂଆପଡ଼ା ସଦର ରେଞ୍ଜରେ ଆତଙ୍କ ଖେଳାଇଥିଲା ଏହି କଲରାପତରିଆ ବାଘ । ତେବେ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ନୂଆପଡା ବନବିଭାଗ କାର୍ଯ୍ୟାଳୟକୁ ଆଣି ବାଘର ଚିକିତ୍ସା କରାଯାଉଥିଲା । ହେଲେ  ଆଜି ତାର ମୃତ୍ୟୁ ଘଟିଛି  ।

ତେବେ ବାଘଟିର ପ୍ରାଥମିକ ଅବସ୍ଥାରେ ବିସକ୍ରିୟା କିମ୍ବା ଅଂଶୁଘାତର ଶିକାର ହୋଇଥିବା ଚର୍ଚ୍ଚା ହେଉଥିଲା । ହେଲେ ପ୍ରକୃତ କାରଣ ବର୍ତ୍ତମାନ ଯାଏ ଜଣା ପଡିନଥିଲା । ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ଚିକିତ୍ସା ଜାରି ରହିଥିଲା ସତ ହେଲେ ଠିକ ସମୟରେ ଚିକିତ୍ସା ହୋଇ ପାରିନଥିବାରୁ ବାଘର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଯାଏ ବନବିଭାଗ ତରଫରୁ ବାଘର ମୃତ୍ୟୁ ବାବଦରେ ପ୍ରତିକ୍ରିୟା ମିଳିପାରି ନାହିଁ ।

 

Comments are closed.