Latest Odisha News

ଆମେ ପୂର୍ବଜ କଣ ଆସିଥିଲେ ମଙ୍ଗଳ ଗ୍ରହରୁ

ଆମେ ସବୁ କଣ ମଙ୍ଗଳ ଗ୍ରହର ବଂଶଜ । ଅବଶ୍ୟ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇନି । ମାତ୍ର ନିକଟରେ କେତେକ ବୈଜ୍ଞାନିକମାନଙ୍କ ଗବେଷଣା ଏଥିପ୍ରତି କିଛି ମାତ୍ରାରେ ଈଶାରା ପ୍ରଦାନ କରିଛି । ପୃଥିବୀରେ ଜୀବନର ଆରମ୍ଭ ପ୍ରାୟ ୪.୨ ବିଲିୟନ ବର୍ଷ ତଳେ ହୋଇଥିବା ଅନୁମାନ କରାଯାଉଛି । ଜୀବନର ଉତ୍ପତି ନେଇ ଏବେ ବୈଜ୍ଞାନିକମାନଙ୍କ ମଧ୍ୟରେ ଗବେଷଣା ଜାରୀ ରହିଛି ।

ନୂତନ ଗବେଷଣାରେ କୁହାଯାଇଛି ଯାହା ଅନୁମାନ କରାଯାଉଛି ତାହାଠାରୁ ୧୦୦ ମିଲିୟନ ବର୍ଷ ପୂର୍ବରୁ ଜୀବନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ନେଚର ଇକୋଲୋଜି ଆଣ୍ଡ ଇଭାଲ୍ୟୁଶନରେ ପ୍ରକାଶିତ ଏକ ଅଧ୍ୟୟନରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ଆମ ପୂର୍ବଜ ତଥା ଲାଷ୍ଟ ୟୁନିଭର୍ସଲ କମନ ଆସେଷ୍ଟରଙ୍କ ବୟସ ୪.୦୯ ରୁ ୪.୩୩ ବିଲିୟନ ବର୍ଷ ରହିଥିବା କୁହାଯାଇଛି । ପୂର୍ବରୁ ବିଭିନ୍ନ ଜୀବାଶ୍ମ ଅନୁଧ୍ୟାନରେ ଉଲ୍ଲେଖ କରାଯାଇଥିବା ବର୍ଷ ଠାରୁ ଏହା ଶହେ ମିଲିୟନ ବର୍ଷ ଅଧିକ ।

ଲେଟ ହେଭୀ ବମ୍ବାର୍ଡମେଂଟ ପରେ ପୃଥିବୀରେ ଜୀବନ ଚକ୍ର ଆରମ୍ଭ ହୋଇଥିଲା । ସେ ସମୟରେ ଉଲକା ଓ ଧୂମକେତୁର କ୍ରମାଗତ ଭାବେ ଅଗ୍ନି ବର୍ଷା ହେଉଥିଲା । ଏଥିରେ ସମ୍ପୂର୍ଣ୍ଣ ପୃଥିବୀ ଏକପ୍ରକାର ଜଳି ଯାଇଥିବା ଅନୁମାନ କରାଯାଉଛି । ଫଳରେ ଜୀବନର ସତା ତିଷ୍ଠି ରହିବା ପ୍ରାୟତଃ ଅସମ୍ଭବ ମନେ ହେଉଛି । ତାହାହେଲେ କଣ ଅନ୍ୟ ଗ୍ରହରୁ ପୃଥିବୀ ପୃଷ୍ଠକୁ ଜୀବନର ସତା ଆସିଥିଲା ।

ଏହି ସିଦ୍ଧାନ୍ତକୁ ପ୍ୟାନସ୍ପର୍ମିଆ କୁହାଯାଏ । ଏଥିରେ ଜୀବନ ଅନ୍ୟ ସ୍ଥାନରେ ବିକଶିତ ହେଲା ଏବଂ ଉଲକାପିଣ୍ଡ ଏବଂ ଅନ୍ୟ ମାଧ୍ୟମରେ ପୃଥିବୀରେ ପଂହଚିଲା । ଏହି ପୂରାତନ ସିଦ୍ଧାନ୍ତକୁ ଅବଶ୍ୟ ବୈଜ୍ଞାନିକମାନେ ପ୍ରାୟତଃ ଖାରଜ କରି ଦେଇଛନ୍ତି । ଏହା ଗାଣିତିକ ସିଦ୍ଧାନ୍ତର ବୀପରୀତ । ଏତେ ଦୂରରୁ କୌଣସି ବସ୍ତୁ ଆସିଲେ ତାହା ସୂର୍ଯ୍ୟ ଏବଂ ବୃହଷ୍ପତିର ତୀବ୍ର ଗୁରୁତ୍ୱାକର୍ଷଣ ଶକ୍ତିରେ ଫସି ଯାଇଥିବ । ଏହା କେବେ ହେଲେ ପୃଥିବୀରେ ପଂହଚି ନ ଥିବ ।

କିନ୍ତୁ ମଙ୍ଗଳ ଗ୍ରହ କ୍ଷେତ୍ରରେ କିଛି ସମୀକରଣ ଆଶା ସୃଷ୍ଟି କରୁଛି । ମଙ୍ଗଳ ଓ ପୃଥିବୀ ଗ୍ରହ ପ୍ରାୟ ଏକ ସମୟରେ ବିକଶିତ ହୋଇଥିଲା । ହଠାତ ମଙ୍ଗଳ ଗ୍ରହ ଥଣ୍ଡା ହୋଇ ଯାଇଥିଲା । ବୈଜ୍ଞାନିକ ତଥ୍ୟ ଅନୁସାରେ ସେ ସମୟରେ ମଙ୍ଗଳ ଗ୍ରହରେ ପାଣି ରହିଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଜୀବନ ଅନୁକୂଳ ପରିବେଶ ସୃଷ୍ଟି କରୁଥିଲା । ମଙ୍ଗଳର ଗୁରୁତ୍ୱାକର୍ଷଣ ପୃଥିବୀଠାରୁ ବହୁତ କମ । ଯେତେବେଳେ ମଙ୍ଗଳରେ କୌଣସି ଉଲକା ପିଣ୍ଡ ମାଡ ହେଉଥିଲା ତାହା ମହାକାଶରେ ବିଚ୍ଛୁରିତ ହୋଇ ଯାଉଥିଲା । ଏହାର ବେଗ ବହୁତ କମ ରହୁଥିଲା । ଏହି ସିଦ୍ଧାନ୍ତ ସବୁ ସତ୍ୟ ପ୍ରମାଣିତ ହୁଏ ତେବେ ଆମେ ମଙ୍ଗଳ ଗ୍ରହରୁ ଆସିଛେ କହିଲେ ଭୁଲ ହେବନି । ତେବେ ଏଥିପାଇଁ ଆମକୁ ବୈଜ୍ଞାନିକମାନଙ୍କୁ ଆଉ ଅଧିକ ସମୟ ଦେବାକୁ ପଡିବ ।

Comments are closed.