Latest Odisha News

BREAKING NEWS

କେତେ ସୁରକ୍ଷିତ ଗୋପାଳପୁର ବେଳାଭୂମି?

ବ୍ରହ୍ମପୁର: ଓଡ଼ିଶାରେ ଥିବା ପ୍ରମୁଖ ବେଳାଭୂମିଗୁଡ଼ିକ ମଧ୍ୟରେ ଗୋପାଳପୁର ସ୍ଥାନ ସ୍ୱତନ୍ତ୍ର। ପାନ୍ଥ ନିବାସଠାରୁ ହରିପୁର ମୁହାଣ ପର୍ଯ୍ୟନ୍ତ ପ୍ରାୟ ଦୁଇ କି.ମି ବେଳାଭୂମିରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେବେଳ ରାଜ୍ୟ ନୁହେଁ, ବରଂ ଦେଶବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି। ସମୁଦ୍ରରେ ଗାଧୋଇବା ସହ ଅବସର ସମୟ ବିତାଇଥାନ୍ତି। ଏହି ବେଳା ଭୂମିରେ ଆବଶ୍ୟକ ସଂଖ୍ୟାରେ ଲାଇଫ ଗାର୍ଡ଼ ନଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋପାଳପୁର ବେଳା ଭୂମିରେ ଅନେକ ଭିତ୍ତିଭୂମି ନିର୍ମାଣ କରାଯାଇଛି। ବେଳାଭୂମିରେ ସେମାନଙ୍କ ସୁରକ୍ଷା ପାଇଁ ସେଭଳି ପଦକ୍ଷେପ ନିଆଯାଉନାହିଁ। ପ୍ରାୟ ଦୁଇ କି.ମି. ବେଳାଭୂମି ପାଇଁ ମାତ୍ର ଜଣେ ଜୀବନ ରକ୍ଷକ କର୍ମୀ (ଲାଇଫ ଗାର୍ଡ଼ ) ରହିଛନ୍ତି। ସାମାନ୍ୟ ଅସାବଧାନତା ହେଲେ ସମୁଦ୍ରରେ ବୁଡ଼ି ଯିବାର ଯଥେଷ୍ଟ ଆଶଙ୍କା ରହିଛି । କାରଣ ପ୍ରଶାସନ ପକ୍ଷରୁ ଲାଇଫଗାର୍ଡ ବ୍ୟବସ୍ଥାକୁ ଅତି ହାଲୁକା ଭାବେ ଗ୍ରହଣ କରାଯାଇଛି। ପୂର୍ବରୁ ବେଳାଭୂମିରେ ଆବଶ୍ୟକ ମତେ ଲାଇଫ ଗାର୍ଡ଼ ନିୟୋଜିତ ହେଉଥିଲେ। ଏବେ କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।

ପୂର୍ବରୁ ଗୋପାଳପୁର ଥାନାର ୪ ଜଣ ହୋମଗାର୍ଡ଼ଙ୍କୁ ଲାଇଫ ଗାର୍ଡ଼ ତାଲିମ ଦିଆଯାଇ ବେଳାଭୂମିରେ ନିୟୋଜିତ କରାଯାଇଥିଲେ। ବର୍ତ୍ତମାନ ମାତ୍ର ଦୁଇ ଜଣ ଲାଇଫ ଗାର୍ଡ଼ ପାଳିକରି ୮ ଘଣ୍ଟା ଲେଖାଏଁ ବେଳାଭୂମିରେ ନିୟୋଜିତ ହେଉଛନ୍ତି। ଯାହାକି ଜଣେ ଲାଇଫ ଗାର୍ଡ଼ ପକ୍ଷେ ସମ୍ପୂର୍ଣ୍ଣ ବେଳାଭୂମି ଉପରେ ନଜର ରଖିବା କଷ୍ଟକର ବ୍ୟାପାର। ଏହି କ୍ଷେତ୍ରରେ ସ୍ଥାନୀୟ ମତ୍ସଜୀବୀଙ୍କ ସହଯୋଗ ହିଁ ଏକ ମାତ୍ର ଭରସା। ଗତ ଦୁଇ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ି ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଲାଇଫ ଗାର୍ଡ଼ଙ୍କ ଦ୍ୱାରା ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂଖ୍ୟାରେ ଲାଇଫ ଗାର୍ଡ଼ ନିଯୁକ୍ତି କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.