Latest Odisha News

BREAKING NEWS

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର

ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର ।  ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷ ଲାଗି ନୀତି ଶେଷ ହୋଇଛି ।  ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ ।

ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।

ସେପଟେ ରଥଯାତ୍ରାକୁ ରହିଛି ଆଉ ମାତ୍ର ୭ ଦିନ । ଜୋରସୋରରେ ଚାଲିଛି ରଥ ନିର୍ମାଣ । ସମୟ ପୂର୍ବରୁ ଚାରିନାହାକା, ୧୪ ନାହାକା ଯୋଖା ସରିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ ଭୂଇଁ ଓ ପୋଟଳ, ପାରାଭାଡ଼ି କାମ ମଧ୍ୟ ସମ୍ପର୍ଣ୍ଣ ହୋଇଛି । ଏବେ ତିନି ରଥରେ ପଟା ବାଡିଆ କାର୍ଯ୍ୟ ଜାରି ରହିଥିବା ବେଳେ ଦୁଆର ବେଢା, ପ୍ରଭା, ଜଗତପୃଷ୍ଠ ଶେଣୀ କାର୍ଯ୍ୟ କରାଯାଉଛି । ଚିତ୍ରକାର ସେବକ କଣଗୁଜ ସମେତ ପାର୍ଶ୍ୱଦେବାଦେବୀଙ୍କଠାରେ ରଙ୍ଗକାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.