ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମା’ ସମଲେଶ୍ବରୀ ମନ୍ଦିରରେ ଉଦଘାଟିତ ହୋଇଛି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସମ୍ବଲପୁରୀ ଭାଷାରେ ମିଠାସ୍ ରହିଛି । ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧ । ସମ୍ବଲପୁରୀ ନୃତ୍ୟ ଓ ଗୀତ ଅତି ମନଛୁଆଁ । ସମ୍ବଲପୁରୀ ଶାଢ଼ୀ କେବଳ ଓଡ଼ିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି ।
କବି ଗଙ୍ଗାଧର ମେହେରଙ୍କ ଅମରକୃତି ଓଡ଼ିଆ ଭାଷା ଓ ସାହିତ୍ୟକୁ କାଳଜୟୀ କରିଛି । ସଂଗ୍ରାମ ଓ ସଂସ୍କୃତିର ମହାନପୀଠ ହେଉଛି ସମ୍ବଲପୁର । ଦେଶ ଓ ଜାତି ପାଇଁ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ସଂଗ୍ରାମ ତାଙ୍କୁ କିମ୍ବଦନ୍ତୀ କରି ଗଢ଼ିଛି । ହୀରାକୁଦଠାରୁ ଆରମ୍ଭ କରି ଦେବ୍ରିଗଡ଼ ଅଭୟାରଣ୍ୟ, ହୁମାଗଙ୍ଗ ମନ୍ଦିର, ହରିଶଙ୍କର, ନୃସିଂହନାଥ- ଏସବୁ ହେଉଛି ଆମ ଓଡ଼ିଶାର ପ୍ରତିଷ୍ଠିତ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆମେ ଯୋଜନା କରିଛୁ । ସେହିପରି ସମଲେଶ୍ବରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ଏହି ରୂପାନ୍ତରଣରେ ସବୁଠୁ ଅଧିକ ଉପକାର ପାଇବେ ସ୍ଥାନୀୟ ଲୋକ । ଏହି ରୂପାନ୍ତରର ଲକ୍ଷ୍ୟ ହେଉଛି – ଆମ ସଂସ୍କୃତି, ପରମ୍ପରାକୁ ବିଶ୍ବମୁଖୀ କରି ଅର୍ଥନୀତିକୁ ସମୃଦ୍ଧ କରିବା । ମା’ ସମଲେଶ୍ୱରୀ ପୀଠକୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ଏହି ରୂପାନ୍ତରଣ ସେମାନଙ୍କୁ ପବିତ୍ର ଅନୁଭବ ଦେବାରେ ସାହାଯ୍ୟ କରିବ । ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଖୁବଶୀଘ୍ର ଆଗକୁ ବଢ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ପାଇଁ ସାଢ଼େ ୭ କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରାୟ ୩୭ ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ । ସମ୍ବଲପୁର ଓ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଏହି ମା’ ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇବେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କର ଗବେଷଣାତ୍ମକ ତଥ୍ୟକୁ ଏହି ଶୋ’ରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଇଛି । ପଦ୍ମ ପୁରସ୍କାରପ୍ରାପ୍ତ କବି ଶ୍ରୀଯୁକ୍ତ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ମନ୍ତ୍ରମୁଗ୍ଧ ଓ ପବିତ୍ର ସ୍ପର୍ଶ ଦେଇଛି ।
ଉଦଘାଟନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମା’ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି, ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସମ୍ବଲପୁର ଉପଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
Comments are closed.