Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୪

ରଞ୍ଜୁ  ଏବେ ଏବେ  ଭାବି ନେଇଛି, ଆସୁଯେତେ ବାଧାବିଘ୍ନ  ଲକ୍ଷ୍ୟପଥରେ ଆଗେଇବ ନିଷ୍ଠାର ସହ ଆଗକୁ ଆଗକୁ,  ଢେର ଆଗକୁ।  ବାପା ନୀରବରେ ଚାଲିଗଲେ ହଠାତ୍ କାହାକୁ କିଛି  ନକହି, ଅକସ୍ମାତ୍  ସହରର ସବୁବତୀ ଲିଭିଯାଏ ଯେମିତି। ବିଶ୍ବାସ କରି ହେଲାନି  କି କିଛିବି କରି ହେଲାନି ତାଙ୍କ ପାଇଁ , ଅସହାୟ  ସେ ମୁହୂର୍ତ୍ତ। ଏକାକୀ  ଅଶ୍ରୁତର୍ପଣ  ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା। ହସରେ କି କାନ୍ଦରେ, ସବୁ କଥାରେ ବାପା ଲୋଡା, ମାଆ ଲୋଡା ,ଭାଇ ଲୋଡା ଆଉ ଲୋଡା ଭଉଣୀଟିଏ। ଦୁଷ୍ଟ ଲକି  ଭଉଣୀ ଯେତିକି,  ଭାଇ ବି ସେତିକି ଥିଲା। କଥା କଥାରେ ବାଦ, ଅଭିମାନ, ରାଗ,ରୁଷା ସବୁକରୁଥିଲା। ଯାଃ ସିଏ ବି ହଜିଗଲା , ସମୟ ପେଟରେ। କଟି ପକେଇଦେଲେ ହବ ସମୟକୁ। ପଡିବ କି ସତେ !  ସମୟଟା ପେଟୁ ନହଲେ ସର୍ବଗିଳା।

ବେଶି କଥା କହୁ ନଥିବା  ବାପା  ଥିଲେ ସକାରାତ୍ମକ। ଭାଙ୍ଗି ପଡନ୍ତିନି ଟିକେ ଟିକେ କଥାରେ। ରାଗନ୍ତନି ଛୋଟ ମୋଟ କଥାରେ। ଗମ୍ଭୀର ଅଥଚ ଉଦାର।  ବହି, ଖାତା, କଲମ,ପେନସିଲ  ଭଳିକି ଭଳି ଆଣିଦଉଥିଲେ। ଖେଳଣା କି ପୋଷାକପତ୍ର କୌଣସିଥିରେ ଅଭାବ ରଖୁନଥିଲେ। ପିଲାଏ ଉତ୍ସାହିତ ହେବେ ବୋଲି  ସୁନ୍ଦର ବହିସବୁ ଉପହାର ଦେଉଥିଲେ। ଛୋଟ ପରିବାର ଛୋଟ ଛୋଟ ଖୁସିକୁ ନେଇ ବେଶ୍ ଆନନ୍ଦରେ  ରହୁଥିଲେ। ମିଳିମିଶି ଅସରନ୍ତି ଗପ କରୁଥିଲେ, ଅକଳନ୍ତି ସ୍ବପ୍ନ, ଅସୁମାର  ଭାବନାକୁ ନେଇ। ଘର ନା ସ୍ବର୍ଗ କେଜାଣି  ଢେର ମିଠାଥିଲା ସେ ସମୟ।

ଛୁଟିଦିନରେ ପାଠପଢା ପରେ ଆରମ୍ଭ ହେଉଥିଲା ଘରଭିତର ଖେଳ।ତାପରେ ରକମ ରକମ ଖାଦ୍ୟର ବରାଦ। ଖେଳଟା ଘର ଭିତରୁ କେତେବେଳେ ଯେ ଟେରସ ଦେଇ ପାଖରେଥିବା ପାର୍କରେ ପହଞ୍ଚିଯାଉଥିଲା ତା’ ଆଉ ଜଣାପଡୁନଥିଲା କାହାରିକୁ । ବାପା ସାଙ୍ଗ ହୋଇଯାଉଥିଲେ, ଖେଳରେ ଖେଳରେ ପାଠପଢା ହୋଇଯାଉଥିଲା। ଫୋର୍ସ, ଭେଲୋସିଟି, ସ୍ପିଡ, ପୁଣି,  ସାଧାରଣ ଜ୍ଞାନ, ଭୂଗୋଳ, ଇତିହାସ,  ଆଉସବୁଠୁ ମିଠା ଗାଣିତିକ ସୂତ୍ର  ନିଆରାଢଙ୍ଗରେ  ନିଆରାବାଗରେ ମନମୁତାବକ ପଢେଇଦେଉଥିଲେ ଖେଳୁଖେଳୁ। ସାହିତ୍ୟ ଓ ଦର୍ଶନ ବୋରିଂ ଲାଗିଲେ ବି ସେତେବେଳେ ଯାହା ବୁଝିଥିଲି, ଏବେ ସେସବୁ  କାମରେ ଲାଗୁଚି, ଆଗକୁ ଲାଗିବ ମଧ୍ୟ।   ସତରେ ବାପା ଥାଆନ୍ତି ଏମିତି ହବ ତ ଏମିତି ଆଉ ଗଲବି ସେମିତି,  ଟିକିଏ ସଙ୍କେତ ଆଗରୁ ନଦେଇ। ନିଜକୁ ନିଜେ ବଖାଣୁଥିଲି ମୁଁ ଖାଲି।
କିଏ ଏମିତି ଯାଏ , କାହାକୁ କିଛି ନଜଣେଇ,  ଫେରିବାର ପ୍ରତିଶ୍ରୁତି  ନଦେଇ। ନକହିଲ ନାହିଁ,  ଲେଖିଦେଲନି ଆମପାଇଁ କିଛି।  ପଢି ବୁଝାପଡନ୍ତା  ଅନେକ  କାହିଁକିର  କଥା।ଏମିତି କିଏ  କରେ ମ ? ଚୁପଚାପ୍  ଏକଦମ୍ ଏକାଏକା।

ଯାଇ ସାରିଥିବା ଚିଜ ଅମିଳ ସବୁଦିନ। ପବନକୁ ଫାନ୍ଦରେ ବାନ୍ଧିବ କିଏ ରେ ବାବା। ଡେଣା ଲାଗିଲା ତ ଉଡିଗଲା କୁଆଡେ ନାଇ କୁଆଡେ। ଖୋଜି ଖୋଜି ନୟାନ୍ତ ମଣିଷ । ଯାଉ ସବୁ ଯାଉ ।

ରଙ୍ଗ ତୂଳୀରେ ଖେଳ ବେଶ୍ ମଜାଦାର। ମାଆଙ୍କ କଥାରେ ବାପା ଦିନେ ଆଣିଲେ ରଙ୍ଗ ପେନସିଲ। ଆରମ୍ଭ ହେଲା ଚିତ୍ର। ତାପରେ ଦିନେ ଆସିଲା ଡବାରେ ରଙ୍ଗ ଓ ତୂଳୀ ନାନା ପ୍ରକାରର।  ବାପାଙ୍କୁ ଜମା ଜଣାନଥିଲା ରଙ୍ଗ ବିଷୟରେ କିଛି।  ଚିତ୍ର ଆଦୌ ହଉନଥିଲା ତାଙ୍କର।ସବୁ ତେଢା ମେଢା ହେଲେ ଭାବନାସବୁ ଉପଯୁକ୍ତ ଆଉ ସିଧା ସରଳ। ମାଆ ନଈକୂଳରୁ ଗୋଡିପଥର ଆଣି କାଠିରେ ବନେଇପାରୁଥିଲେ  ମନମତାଣିଆ ଅନେକ କିଛି।  ଭାରିମଜା ଲାଗେ, ରଙ୍ଗ ବଲବଲ ହାତରେ ବାପାଙ୍କୁ ଡରେଇବାକୁ। ଡାଇନିଂ ଟେବୁଲ ଚାରିପଟେ ହୋହୋ ହୋଇ ଦୌଡେ ଧଳା ଗଞ୍ଜିରେ ବୋଳିଦେବାକୁ ମୋ’ ହାତ। ମୋ’ର କୋଉ ମନ ଥାଏ ରଙ୍ଗ ସହିତ ମିଶି ରହିବାକୁ। ମାଆଙ୍କ କଥାରେ କରେ, ପାଠରୁ ଟିକିଏ ଛୁଟି ପାଇଁ। ସେ କହନ୍ତି, ‘ଚିତ୍ର କଲେ ମନ ସ୍ଥିର ହୁଏ, କଳ୍ପନା ଶକ୍ତି ବଢେ ‘ , ଏସବୁ କଲାବେଳେ ମୁଁ  ଆଉ ମୋ’ର  ହୋଇ ନଥାଏ।

ବେତାଳ ଭଳି ଝୁଲୁଥାଏ କେଉଁ ଗଛରେ କି ଡାଳରେ।   ପକ୍ଷୀ ହୋଇ ଉଡୁଥାଏ  ମହାଶୂନ୍ୟରେ। ଚିତ୍ର  ସାରିବାମାତ୍ରେ ନାମ ଓ ତାରିଖ  ଲେଖିବାକୁ ତାଗିଦକରନ୍ତି ମାଆ। ସେଇଠୁ ସରେ କାମ। ବନ୍ଧେଇ ଖାତାରେ ପୃଷ୍ଠାଟିଏ ଯୋଡିହୋଇଯାଏ। ରୋଷେଇଘରୁ  ବାସ୍ନା ମହକେ।  ଏଥର ଅଞ୍ଜୁ ସହ ଭାଗ ପଡେ। ବାପାବି ବସନ୍ତି। ଚାଖିବାର ନିଆରା ମଜା ଆମ ନେଉ ଦୁହେଁ। ଦୁହିଁଙ୍କୁ  ଚିତ୍ର  ଶିଖେଇଲେ ଜଣେ କାଗଜରେ ଡଙ୍ଗା,  ଟୋପି , ଫୁଲ ବନାଏ ଆଉଜଣେ ଅନିଚ୍ଛା ସତ୍ତ୍ବେ ଚିତ୍ର ଆଙ୍କେ।ମାଆଙ୍କୁ  ଖୁସିଦବା କର୍ତ୍ତବ୍ୟ ଯେମିତି ! ଜଣେ ମନଇଚ୍ଛା  ସବୁକରିପାରେ,  ଆଉ ଜଣେ ମନମାରି  କାହାର ଖୁସି ଦେଖେ। ଏକା ମାଆ ପେଟର, ହେଲେ  ପୂରା ଅଲଗା ପ୍ରକୃତି। ଜଣେ ସବୁ ବୁଝିପାରେ ଆଉଜଣେ ସ୍ଵେଚ୍ଛାଚାର କରେ। ତଥାପି  କେହି ସେମିତି ଆକଟି କୁହନ୍ତିନି  କିଛି। ନିଜକୁ ନିଜେ ବୁଝିବାକୁ ପଡେ ସମୟ ଅନୁସାରେ ଏସବୁ।

Leave A Reply

Your email address will not be published.