Latest Odisha News

BREAKING NEWS

Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ

ଭୁବନେଶ୍ବର:ରାଜ୍ୟର କିଛି ଜିଲ୍ଲାରେ ରବିବାର ଦିନ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ହେବା ସହ ପ୍ରବଳ ବଜ୍ରପାତ ଓ ବର୍ଷା ହୋଇଯାଇଛି। ଫଳରେ ବିଭିନ୍ନ ସ୍ଥାନରୁ ବଜ୍ରପାତରେ ମୃତ୍ୟୁ ଖବର ଆସିଛି । ପୁଅ ବାହାଘର ପାଇଁ ଭାବି ବୋହୂ ତଥା ସମୁଦିଙ୍କ ଘରକୁ ଲଗ୍ନପତ୍ର ଦେବାକୁ ଯାଉଥିବା ବେଳେ ଅଧବାଟରେ ବଜ୍ରପାତରେ ଚାଲିଗଲା ବାପାର ଜୀବନ । ଯୁଯୁମୁରା ଠାରେ ଘଟିଛି ଏହି ଅଘଟଣ । ମୃତକ ଜଣକ ହେଲେ ବିପ୍ଳବ ବେହେରା । ଏହା ସହ ବିପ୍ଳବଙ୍କ ସାନ ଭାଇ ବଳରାମ ମଧ୍ୟ ଆହତ ହୋଇଛନ୍ତି ।

ଖବରମୁତାବକ, ବୌଦ୍ଧ ବଘିଆପଡ଼ାର ବିପ୍ଳବଙ୍କ ପୁଅ ସୁଜିତର ବାହାଘର ଜୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା ।ଆଜି ଲଗ୍ନ ପତ୍ର ଦେବାକୁ ଗହୀରପାଲିକୁ ବିପ୍ଲବ ଓ ତାଙ୍କ ଭାଇ ବଳରାମ ବାଇକ ଯୋଗେ ଆସୁଥିଲେ । ତେବେ କାଳବୈଶାଖୀର ପ୍ରଭାବରେ ହୋଇଥିବା ଝଡ଼ ଉଗ୍ରରୂପ ନେଇଥିଲା। ବିପ୍ଲବ ଏବଂ ବଳରାମ ଯୁଯୁମୁରା-କେଶାପାଲି ରାସ୍ତାରେ ଥିବା ବାଣ୍ଡିଝରଣ ବସ୍‌ଷ୍ଟପ୍‌ରେ ଅଟକି ଯାଇ ଆଶ୍ରୟ ନେଇଥିଲେ। ଭାଗ୍ୟର ବିଡ଼ମ୍ବନା ଆଶ୍ରୟ ନେଇଥିବା ବସ୍‌ଷ୍ଟପରେ ଖସିପଡ଼ିଲା ବଜ୍ର। ଆହତ ଦୁଇଭାଇଙ୍କୁ ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ବିପ୍ଳବ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ବଳରାମଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ଅନ୍ୟପଟେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ଘଟିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ କାମ କରି ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ଅନ୍ୟ ୩ ମହିଳା ଗୁରୁତର ହୋଇଛନ୍ତି । ମୃତକ ହେଲେ ସଞ୍ଚିତା ବିଶ୍ୱାଳ । ଗୁରୁତର ମହିଳାମାନେ ହେଲେ ଖୀରଦେଇ ପ୍ରଧାନୀ, ସଂଯୁକ୍ତା ଲହଜଳ ଓ ଭୂମିସୁତା ଲହଜଳ। ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଓ ସେଠାରେ ଚିକିତ୍ସା କରଯାଉଛି ।

ସେହିପରି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବଜ୍ରପାତରେ ମହିଳାଙ୍କ ଜୀବନ ଚାଲିଗଲା । ମୃତକ ମହିଳା ଜଣଙ୍କ ହେଉଛନ୍ତି ଆଠଗଡ଼ ଥାନା ଯୋରନ୍ଦା ପଞ୍ଚାୟତ କରିକୋଲ ଗ୍ରାମର ଧନେଶ୍ଵର ଗୁରୁଙ୍କ ପତ୍ନୀ ବିଳାସିନୀ ଗୁରୁ(୫୮)। ସେ ନିଜ ଘର ପିଣ୍ଡାରେ ଛିଡା ହୋଇଥିବା ବେଳେ ବଜ୍ରପାତ ଆଘାତରେ ତଳେ ପଡ଼ି ସଂଜ୍ଞାହୀନ ହୋଇ ଯାଇଥିଲେ । ପରିବାର ଲୋକେ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

କେବଳ ସେତିକି ନୁହେଁ କାଳବୈଶାଖୀର ପ୍ରଭାବରେ ଆଠଗଡ ଉପଖଣ୍ଡ ଡାକ୍ତରଖାନାର ନବନିର୍ମିତ ୫ ମହଲା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ର ଓ ଡାଇଲିସିସ୍ କେନ୍ଦ୍ର ସମ୍ମୁଖ ପାଚେରୀ ଭାଙ୍ଗିପଡ଼ିଛି। ପ୍ରାୟ ୩୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ପାଚେରୀ ଭୁଷୁଡି ପଡିଥିବା ଦେଖାଯାଇଛି। ସହରର ଗୋପବନ୍ଧୁ ଛକ ସମେତ ଅନେକ ସ୍ଥାନରେ ବଡ ବଡ ଗଛ ଡାଳ ଭାଙ୍ଗି ପଡିବା ଫଳରେ କେତେକ ଉଠା ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.