Latest Odisha News

BREAKING NEWS

ବଜ୍ରାଘାତରେ ୧୭ ଗାଈ ମୃତ, ଅଳ୍ପକେ ବର୍ତ୍ତିଲେ ୩ ଗାଇ ଚରାଳି

ମାଲକାନଗିରି: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଖାସ କରି ପୁରୀରେ ଲଗାତାର ବର୍ଷା ରେକର୍ଡ ଭାଙ୍ଗିଥିଲାବେଳେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ।

ବଜ୍ରାଘାତରେ ଆତଙ୍କିତ ହୋଇପଡିଛନ୍ତି କାଲିମେଳା ବ୍ଲକ ଅନ୍ତର୍ଗତ ସୁଦ୍ଧାଖୁଣ୍ଟା ଗାଁ ବାସିନ୍ଦା । ୧୭ଟି ଗାଈ ଅକସ୍ମାତ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଅଲ୍ପକେ ବର୍ତ୍ତଯାଇଛନ୍ତି ଗୋଟିଏ ପରିବାରର ତିନିଜଣ ସଦସ୍ୟ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

ସୁଦ୍ଧାଖୁଣ୍ଟା ଗାଁର ଇରମା କୱାସୀ, ଶାନ୍ତି କୱାସୀ ଓ ରାମା ମାଡକାମୀ ଗତକାଲି ମାଛଘାଟି ନିକଟସ୍ଥ ଶାଗଡ ପାହାଡକୁ ଗାଈ ଚରାଇବାକୁ ଯାଇଥିଲେ । ସଂଧ୍ୟାରେ ସମସ୍ତ ଗାଈଙ୍କୁ ଧରି ଫେରୁଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ଗାଈ, ବଳଦ ଓ ବାଛୁରୀ ସମେତ ୧୭ଟି ଜୀବନ ଅକାଳରେ ଚାଲିଯାଇଥିଲା । ହେଲେ ଘଟଣାସ୍ଥଳରେ ଚେତା ହରାଇ ପଡିଯାଇଥିଲେ ତିନି ଭାଇ ଭଉଣୀ ।

ଚେତା ଫେରିବା ପରେ ତିନିଜଣ ଘରକୁ ଫେରି ସମସ୍ତ ଘଟଣା ନିଜ ପରିବାରକୁ ଜଣାଇଥିଲେ । ଖବର ପାଇ ପରିବାର ଲୋକଙ୍କ ସମେତ ଗାଁ ଲୋକେ ଘଟଣାସ୍ଥଳରେ ୧୭ଟି ଗାଈ ମରିପଡିଥିବା ଦେଖିବାକୁ ପାଇଥିଲେ । ଗାଈମାନଙ୍କୁ ହରାଇ ଅସହାୟ ହୋଇପଡିଥିବା ପରିବାରଟି ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.