Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନିଜ ପାଇଁ ଚିଠି 

ଏଇ ଚିଠି- ମୋ’ ନିଜ ପାଇଁ । ନିଜଠୁ ନିଜକୁ ଦୂରେଇ , କୌଣସି ନା କୌଣସି ଆଳରେ ନିଜର ସ୍ୱରୂପକୁ ସାମ୍ନା ନକରି , ନିଜର ସ୍ଥିତିକୁ ଯେଉଁଠି ସେଇଠି ଓହଳେଇ ଆଉ କାହା ସ୍ଥିତିର ଖୋଳପାରେ ଖୋଜି ଆସୁଥିବା ରଙ୍ଗବେରଙ୍ଗର ସ୍ଥିତି ପାଇଁ ମୁଁ ମୋ ଭିତରେ ଅପର୍ଯ୍ୟାପ୍ତ ଧଇଁସଇଁକୁ ସାଉଁଟିଛି । କେବେ ମାଛ କେଳେଇଲା ଭଳି ହିସାବର ପନିକିରେ କାଟିଛି ସମ୍ପର୍କକୁ ତ ପୁଣି କେବେ ଆଖିର ଲୁହରେ ସେହି ସବୁ ବିଖଣ୍ଡିତ ଅବୟବର ରକ୍ତକୁ ଧୋଇଛି । କେବେ ନିଜକୁ ସିସିଫସର ପଥର ଭଳି ତଳକୁ ଗଡ଼େଇ ପାହାଡ଼ ଉପରୁ ମାଟିକୁ ଦେଖି ବିଚଳିତ ହୋଇଛି (ବିହ୍ଵଳ ବି) ତ ପୁଣି କେବେ ଫଟା ମାଟିର ଆଁ ଭିତରୁ ଆକାଶରୁ ବୁନ୍ଦାଏ କରୁଣା ଝରିବା ଆଶାରେ ପୁହାଇ ଦେଇଛି ମୋର ବିକ୍ଷୁବ୍ଧ ମନ ଅସଂଖ୍ୟ ବିନିଦ୍ର ରାତି ।

ଅନ୍ଧାରର ଆଖିରେ ଯେତିକି ଉଜ୍ଜ୍ଵଳ କରି ଦେଖିଛି ମୁଁ ମୋର ଚଉହଦୀକୁ ସେତିକି ଅନ୍ଧ ହୋଇଛି ମୁଁ ସୂର୍ଯ୍ୟାଲୋକର ରୋଷଣୀରେ କେବଳ ନିଜ ସୁଖ ପାଇଁ ଖୋଜି ହେଉଥିବା କାରକମାନଙ୍କ ମାୟାରେ । ଶୃଙ୍ଖଳାର ଶୃଙ୍ଖଳକୁ ଭାଙ୍ଗି ମୁଁ ଯେତିକି ଆଗକୁ ଯାଇଛି ବୋଲି ଭାବିଛି ତାହା କେବେ ମନେ ହୋଇଛି କାହିଁ କେତେ ହଜାର ବର୍ଷ ତଳେ ଅଟକିଯାଇଥିବା ମୋର ଉତଶୃଙ୍ଖଳତା। ମୁଁ କେଉଁଠି ଅଛି ? ଯେଉଁଠି ଥାପି ହୋଇଛି ମୋର ପାଦ ସେହି ହେବା କଥା ମୋ ରାସ୍ତା ବୋଲି ଅନ୍ୟ ସବୁ ଗତାନୁଗତିକତାରୁ ବାହାର କରି ସେହି ଇଲାକାକୁ ଯତ୍ନ ଦେଇ ପରିଚ୍ଛନ୍ନ କରିଛି । ଚାଲି ପାରିଛି କଣ ? ସବୁ ସମୟରେ ନିଜ ରାସ୍ତାର ଦୁଇ କଡର ଜୀବନ ଦୃଶ୍ୟମାନ ହୋଇ ଦୌଡିଛନ୍ତି ସିନା ମୋ ପାଦ ତ ଗତିଶୀଳତାର ଭ୍ରମରେ ଅଚଞ୍ଚଳ !! ଅନ୍ୟମନସ୍କତାର ତାଡନାରେ ଦିନେ ଶବ୍ଦରେ ଶବ୍ଦ ଗୁନ୍ଥି ହୋଇ କେବେ ମନରେ ତିଆରି ହୋଇଥିଲା କବିତାଟିଏ ଯାହା ଆଜି ଏଇ ସମୟ ପାଇଁ ପ୍ରାସଙ୍ଗିକ ମନେ ହୁଏ।

ଏ ରାସ୍ତାରେ ଯେତେ ପାଦ
ବଢିଚାଲେ ଆଗକୁ ଆଗକୁ
ସବୁର ଗୋଇଠି ଫଟା
ସବୁ ପାଦ ରକ୍ତ ଜୁଡୁବୁଡୁ
ଏ ମାଟିରେ
ଫୁଲ ଆଉ କଣ୍ଟା ଏକାକାର
ପାଦର ଗତି ସହିତ ବଦଳାଇ ରାସ୍ତାର ପ୍ରକାର ।

ରାସ୍ତା କଡେ
ଉଛୁଳଇ ହ୍ରଦ ଉଷୁମ ରକ୍ତର
ବହିଯାଏ ତୀକ୍ଷ୍ଣ ନଈଧାର
ତାତିଲା ଲୁହର ।

ରାସ୍ତା କଡେ
ମଲାଫୁଲ ଗଛ ଧାଡି ଧାଡି
ପାଦ ଚାଲୁଥାଏ ତା ଭିତରେ
ମୁଁ ମୋର ସ୍ଥିର ।

ଯେତେବେଳେ ନଇଁ ଆସେ ଆକାଶର ଆଖି
କାକୁସ୍ଥ ପୃଥିବୀ
ଧୀରେ ହାଇ ମାରେ,
ଚାଲୁ ଚାଲୁ ଝୋଟି ଦେବା ଲାଗି ପଡେ ଆକାଶ କାନ୍ଥରେ
ସ୍ବପ୍ନ ଆଙ୍କିବାକୁ ପଡେ
ପବନର ଅସ୍ଥିର ପଟ୍ଟିରେ
ଚାଲୁ ଚାଲୁ ନିଜ ଲାଗି ଶବ୍ଦ ଖୋଜେ
ଚିଠିଟେ ଲେଖିବା ଲାଗି ନିଜ ଠିକଣାରେ ।

ସେ ଚିଠି ଲେଖା ସରିଲା ପରେ ମୋରି ପାଖକୁ ଆସୁ । ମୋତେ ପ୍ରକୃତିସ୍ଥ କରୁ । ସାରାଟା ପ୍ରକୃତିକୁ ମୁହୂର୍ତ୍ତ ମୁହୂର୍ତ୍ତ ବ୍ୟାପି ଅନୁଭବ କରିବା ଭିତରେ ନିଜ ପାଇଁ ପ୍ରେମ ଆଉ ସମ୍ମାନ ତିଆରି କରିବା ଲାଗି ମୋତେ ସାମର୍ଥ୍ୟ ଦେଉ । କହି ଦେଇଯାଉ ଜୀବନ ଆମେ ପୋଷିଥିବା ଧାରଣାଠାରୁ କାହିଁ କେତେ ଉର୍ଦ୍ଧ୍ବରେ । ଜୀବନକୁ ଆମରି ଜିମାରେ ଛାଡ଼ି ଦେଇଥିବା ସେହି ଅଦୃଶ୍ୟ ଶକ୍ତି ପ୍ରତି ବିଶ୍ଵାସ ଥାଉ ସବୁ ସମୟରେ ।

Leave A Reply

Your email address will not be published.