Latest Odisha News

ମହାଶିବରାତ୍ରି: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଗହଳି

ଭୁବନେଶ୍ୱର: ଆଜି ପବିତ୍ର ଜାଗର ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଛୋଟବଡ଼ ଶୈବ ପୀଠ ଗୁଡିକ । ଦେବାଧୀଦେବ ମହାଦେବଙ୍କ ଆଜି ହେଉଛି ଏକ ବିଶେଷ ଦିବସ ।

ଏହିଭଳି ଏକ ପବିତ୍ର ଦିନରେ ଭୋଳନାଥଙ୍କ ଦର୍ଶନ କରିବା ନିମନ୍ତେ ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଜନସମାଗମ ଘଟିଛି ।

ଜାଗରଯାତ୍ରା ପାଇଁ ସକାଳୁ ସକାଳୁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଲାଗି ଭିଡ ଆରମ୍ଭ ହୋଇଯାଇଛି। ଭକ୍ତମାନେ ଧାଡ଼ି ବାନ୍ଧି ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି।

ମହାଶିବରାତ୍ରିର ଭିଡକୁ ନିୟନ୍ତ୍ରଣ କରିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍ ଲଗାଯାଇଛି । ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ଵରେ ଚେୟାର ପକାଯାଇଛି।

ଆଜି ରାତି ୧୦ଟାରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ନେଇ ସୂଚନା ମିଳିଛି ।

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ମଧ୍ୟ ଯତ୍ନବାନ ରହିଛି । ସେହିପରି ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗତକାଲି ସନ୍ଧ୍ୟା‌ରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ କୁମାର ସାହୁ ପ୍ରମୁଖ ସ୍ଥିତି ସମୀକ୍ଷା କରିଛନ୍ତି। ମହାଶିବରାତ୍ରି‌ରେ ଏଏସ୍‌ଆଇର ୪୦ଜଣ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିବେ। ମନ୍ଦିର ପରିସରରେ ଓ ବାହାରେ ସୂଚନା କେନ୍ଦ୍ର ଖୋଲାଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ଦିଆଯିବ।

Comments are closed.