ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରିଥିବା କ୍ରୀଡ଼ା ପ୍ରତିଭାଧରମାନଙ୍କୁ ପ୍ରତିବର୍ଷ ଭାରତ ସରକାର ‘ଅର୍ଜୁନ ପୁରସ୍କାର’ରେ ସମ୍ମାନିତ କରିଥାଆନ୍ତି । ପ୍ରଖ୍ୟାତ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ରୂପେ ଭାରତରେ ପାଳିତ ହୋଇଥାଏ । ଏହି ଅବସରରେ କ୍ରୀଡ଼ା ପ୍ରତିଭାମାନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥାଏ । ଆଜି ଓଡ଼ିିଶା କ୍ରୀଡ଼ା ଜଗତ ଲାଗି ଏକ ଗୌରବର ଦିନ, କାରଣ ଓଡ଼ିିଶା ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏହି ସମ୍ମାନଜନକ ‘ଅର୍ଜୁନ ପୁରସ୍କାର’ରେ ସମ୍ମାନିତ ହେବାକୁ ଯାଉଛନ୍ତି ।
ବ୍ୟାଡ଼ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ଓଡ଼ିଶାର ମୋଟ ୮ଜଣ କ୍ରୀଡ଼ାବିତ୍ ତାଙ୍କର କ୍ରୀଡ଼ା ନୈପୁଣ୍ୟତା ଲାଗି ଏହି ‘ଅର୍ଜୁନ ପୁରସ୍କାର’ ହାସଲ କରିପାରିଛନ୍ତି । ନିଜ ନିଜ ଖେଳରେ ଶୀର୍ଷତ୍ୱ ହାସଲ କରିବା ସହିତ ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ଏହି ୮ ଜଣ ଖେଳାଳି । ଏହି ୮ ଜଣ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସର୍ବାଗ୍ରେ ମିନତୀ ମହାପାତ୍ର, ବିଜୟ କୁମାର ଶତପଥୀ, ରଚିତା ପଣ୍ଡା ମିସ୍ତ୍ରୀ, ଦିଲ୍ଲିପ ତିର୍କୀ, ଜ୍ୟୋତି ସୁନିତା କୁଲୁ, ଇଗ୍ନେସ ତିର୍କି, କାଟୁଲୁ ରବିକୁମାର ଏବଂ ପ୍ରମୋଦ ଭଗତ ।
ତେବେ ବିଶିଷ୍ଟ ହକି ଖେଳାଳି ମାଇକେଲ୍ କିଣ୍ଡୋ ସେହି ସମୟରେ ଓଡ଼ିଶାର ରାଉରକେଲାରେ ଅବସ୍ଥାନ କରୁଥିଲେ ମଧ୍ୟ ସେ ଅନ୍ୟ ରାଜ୍ୟର ବାସିନ୍ଦା
ମିନତୀ ମହାପାତ୍ର (ସାଇକେଲ ଚାଳନା)![]()
ମହିଳା ଭାବେ ‘ଅର୍ଜୁନ ପୁରସ୍କାର’ ପାଇବାରେ ମିନତି ମହାପାତ୍ର ହେଉଛନ୍ତି ପ୍ରଥମ ଓଡ଼ିଆ । ଏପରିକି ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଅର୍ଜୁନ ପୁରସ୍କାର ବିଜେତା । ମାତ୍ର ୧୫ ବର୍ଷ ବୟସରୁ ମିନତୀ ଆଥଲେଟିକ୍ସ ଏବଂ ସାଇକେଲିଂ ଚାଳନାରେ ସିଦ୍ଧହସ୍ତ ହୋଇପାରିଥିଲେ । ସେ ୧୯୭୦ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୯୮୦ ମସିହାରେ ତାଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର ।
ବିଜୟ କୁମାର ଶତପଥୀ (ଭାରୋତ୍ତଳନ)![]()
ଓଡ଼ିଶାର ବିଶିଷ୍ଟ କ୍ରୀଡ଼ାବିତ ତଥା ଜଣାଶୁଣା ଭାରୋତ୍ତଳନକାରୀ ଭାବେ ବିଜୟ କୁମାର ଶତପଥୀ ଜାତୀୟ ସ୍ତରରେ ଅନେକ ପୁରସ୍କାର ତଥା ସ୍ୱର୍ଣ୍ଣ ପଦକ ହାସଲ କରିପାରିଥିଲେ । ଭାରୋତ୍ତଳନର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶା ତଥା ଦେଶକୁ ପ୍ରତିନିଧିତ୍ୱ କରି ସେ ରାଜ୍ୟର ଟେକ ରଖିଛନ୍ତି । ତାଙ୍କର ଉନ୍ନତ କ୍ରୀଡ଼ା ନୈପୁଣ୍ୟତା ଲାଗି ସେ ୧୯୮୧ ମସିହାରେ ପାଇଥିଲେ ‘ଅର୍ଜୁନ ପୁରସ୍କାର’ ।
ରଚିତା ପଣ୍ଡା ମିସ୍ତ୍ରୀ (ଆଥଲେଟିକ୍ସ)![]()
ଓଡ଼ିଶାର ଯେଉଁ କେତେଜଣ ଆଥଲେଟଙ୍କ ନାମ ଆଜି ଓଡ଼ିଶା କ୍ରୀଡ଼ା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିଖିତ ସେମାନଙ୍କ ମଧ୍ୟରେ ରଚିତା ପଣ୍ଡା ମିସ୍ତ୍ରୀ ଅନ୍ୟତମ । ପିଟି ଉଷା, ସାଇନି ୱିଲସନଙ୍କ ସହିତ ସେ ଭାରତୀୟ ସ୍ପ୍ରିଣ୍ଟର୍ ଭାବେ ଅନେକ ଥର ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି । ରାଉରକେଲାରେ ୧୯୭୪ରେ ଜନ୍ମିତା ରଚିତା ୨୦୦୦ ସିଡ଼ନୀ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ପିଟି ଉଷାଙ୍କ ୧୦୦ ମିଟର୍ ଜାତୀୟ ରେକର୍ଡ଼କୁ ଭଙ୍ଗ କରି ସେ ଭାରତର ସବୁଠାରୁ ଦ୍ରୁତତମ ଧାବିକା ଭାବେ ପରିଗଣିତ ହୋଇଥିଲେ । ସେ ୧୯୯୮ ରେ ‘ଅର୍ଜୁନ ପୁରସ୍କାର’ ହାସଲ କରିଥିଲେ ।
ଦିଲିପ ତିର୍କୀ (ହକି)![]()
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଡ଼ିଫେଣ୍ଡର୍ ଭାବେ ବିବେଚିତ ହେଉଥିବା ଦିଲିପ ତିର୍କୀ ୧୯୯୫ରେ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ । ୧୯୯୬ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଆଟଲାଣ୍ଟା ଅଲିମ୍ପିକ୍ସରେ । ଦିଲ୍ଲିପ ମଧ୍ୟ ୨୦୦୦ ସିଡ଼ନୀ ତଥା ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ।
ସେ ଓଡ଼ିଶାର ଏକମାତ୍ର ଆଦିବାସୀ କ୍ରୀଡ଼ାବିତ ଭାବେ ୩ଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ୨୦୦୨ ମସିହାରେ ଦିଲ୍ଲିପ ପାଇଥିଲେ ‘ଅର୍ଜୁନ ପୁରସ୍କାର’ । ଏହାବ୍ୟତୀତ ସେ ୨୦୦୪ରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ହାସଲ କରିପାରିଛନ୍ତି ।
ଜ୍ୟୋତି ସୁନୀତା କୁଲୁ (ହକି)![]()
ଓଡ଼ିଶାର ପ୍ରଥମ ମହିଳା ହକି ଖେଳାଳି ଭାବେ ଜୋତି ସୁନିତା କୁଲୁ ‘ଅର୍ଜୁନ ପୁରସ୍କାର’ ହାସଲ କରିପାରିଛନ୍ତି । ଉନ୍ନତ ହକି ଖେଳ ଲାଗି ସୁନିତା ୨୦୦୬ରେ ପାଇଥିଲେ ଏହି ସମ୍ମାନଜନକ କ୍ରୀଡ଼ା ପୁରସ୍କାର । ୨୦୦୨ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ଚାମ୍ପିୟନ୍ସ ଚ୍ୟାଲେଞ୍ଜ ହକି ପ୍ରତିଯୋଗିତାରେ ସୁନୀତା ୬ଟି ମ୍ୟାଚରେ ୫ଟି ଗୋଲ୍ ସ୍କୋର କରି ଚର୍ଚ୍ଚିତ ହୋଇ ପଡ଼ିଥିଲେ । ଇଂଲଣ୍ଡରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସୁନ୍ଦର ପ୍ରଦର୍ଶନ କରିପାରିଥିଲେ ସୁନିତା ।
ଇଗ୍ନେସ ତିର୍କି (ହକି)![]()
ଜଣେ ଶକ୍ତିଶାଳୀ ମିଡ଼ଫିଲ୍ଡର୍ ଭାବେ ଆଜି ମଧ୍ୟ ଭାରତୀୟ ହକି ଇଗ୍ନେସ ତିର୍କୀଙ୍କୁ ମନେ ପକାଇଥାଏ । ଇଗ୍ନେସ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ।
କାଟୁଲୁ ରବି କୁମାର (ଭାରୋତ୍ତଳନ![]()
ବିଶିଷ୍ଟ ଭାରୋତ୍ତଳନକାରୀ କାଟୁଲୁ ରବି କୁମାର ବ୍ରହ୍ମପୁରର ବାସିନ୍ଦା । ପିଲାବେଳୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ରବି ଭାରୋତ୍ତଳନ ଲାଗି ମନ ବଳାଇଲେ । ୨୦୦୯ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ରବି କୁମାର ଅନେକ ଜାତୀୟ ରେକର୍ଡ଼ର ଅଧିକାରୀ ହୋଇ ଅନେକ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । ୨୦୧୧ ମସିହାରେ ତାଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଥିଲା ।
ପ୍ରମୋଦ ଭଗତ (ବ୍ୟାଡ଼ମିଣ୍ଟନ)![]()
ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ଭାବେ ଓଡ଼ିଶା ଖେଳାଳି ପ୍ରମୋଦ ଭଗତ ରାଜ୍ୟ ତଥା ଦେଶକୁ ଗୈାରବାନ୍ୱିତ କରିଛନ୍ତି । ନିକଟରେ ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଉଭୟ ସିଙ୍ଗଲ୍ସ ଓ ଡ଼ବଲ୍ସ ବିଭାଗରେ ସେ ହାସଲ କରିପାରିଛନ୍ତି ୨ଟି ସ୍ୱର୍ଣ୍ଣ ପଦକ । ୨୦୧୯ର ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି ପ୍ରମୋଦ ।