Latest Odisha News

ଭାରତର ଦାଗୀ ନେତା ତାଲିକା: ୨ୟ ସ୍ଥାନରେ ଓଡ଼ିଶା !

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଏକ ତଥ୍ୟ ଅନୁଯାୟୀ ଭାରତର ଦାଗୀ ନେତା ତାଲିକାରେ ଓଡ଼ିଶା ରାଜ୍ୟ ୨ୟ ସ୍ଥାନ ଦଖଲ କରିଛି । ନିକଟରେ ସୁପ୍ରିମକୋର୍ଟରେ ଦାଗୀ ନେତାଙ୍କ ସମ୍ପର୍କୀତ ଏକ ମାମଲାରେ ଆମିକସ୍ କ୍ୟୁରୀ ବିଜୟ ହଂସାରିଆ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ତଥ୍ୟ ଅନୁସାରେ କେଉଁ ରାଜ୍ୟରେ କେତେ ଦାଗୀ ନେତା ରହିଛନ୍ତି ତାହା ଦର୍ଶାଯାଇଛି ।

ସୁପ୍ରିମକୋର୍ଟରେ ଏ ସଂପର୍କିତ ମାମଲା ଶୁଣାଣି ବେଳେ ଏ ତଥ୍ୟ ପଦାକୁ ଆସିଛି । ଉତ୍ତରପ୍ରଦେଶରେ ନେତାଙ୍କ ବିରୋଧରେ ସର୍ବାଧିକ ୯୯୦ ମାମଲା ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୩୧। ତେଣୁ ନେତାଙ୍କ ବିରୋଧରେ ଥିବା ମାମଲା ଗୁଡିକର ବିଚାର ପାଇଁ ଗୋଟିଏ ସ୍ୱତନ୍ତ୍ର କୋର୍ଟ ଉପରେ ନିର୍ଭର ନକରି ଯେତେ ଆବଶ୍ୟକ ସେତେ ସଂଖ୍ୟକ ସେସନ୍ସ ଓ ମାଜିଷ୍ଟେରିଆଲ କୋର୍ଟକୁ ଦାୟିତ୍ୱ ଦେବା ଲାଗି ସୁପ୍ରିମକୋର୍ଟ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶାର ୩୩୧ ନେତାଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏପରିକି ୫ ନେତାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀ ବିଜୟ ହଂସାରିଆ ଦାଖଲ କରିଥିବା ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ଜନପ୍ରତିନିଧିଙ୍କ ବିରୋଧରେ ଏବେ ୪ହଜାର ୧୨୨ଟି ମାମଲା ରହିଛି । ଯେଉଁଥିରୁ ୨ ହଜାର ୨୩୪ ମାମଲା ସିଟିଂ ଏମ୍‌ଏଲ୍‌ଏ ଓ ଏମ୍ପିଙ୍କ ବିରୋଧରେ ରହିଛି ।

ଓଡ଼ିଶାରେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ବିରୁଦ୍ଧରେ ସର୍ବାଧିକ ୩୩ଟି ଅପରାଧିକ ମାମଲା ରହିଛି, ଏଥିରୁ ୫ଟି ହତ୍ୟା ମାମଲା । କଂଗ୍ରେସର ଅନ୍ୟ ଜଣେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୁଦ୍ଧରେ ଏକ ହତ୍ୟା ମାମଲାକୁ ମିଶାଇ ମୋଟ୍ ୨୦ଟି କେଶ୍ ରହିଛି ।

ବର୍ତ୍ତମାନର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରାସଦ ବାହିନୀପତିଙ୍କ ବିରୋଧରେ ରହିଛି ୧୨ଟି ମାମଲା। ସେହିପରି ଜର୍ଜ ତିର୍କୀଙ୍କ ବିରୁଦ୍ଧରେ ୨୭ ଓ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୁଦ୍ଧରେ ୨୩ଟି ମାମଲା ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ସେପଟେ ନେତାଙ୍କ ବିରୋଧରେ ଏତେ ସଂଖ୍ୟକ ଅପରାଧିକ ମାମଲା ବିଚାର ନହୋଇ ପଡି ରହିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାଗୁଡିକ ମଧ୍ୟରେ ହତ୍ୟା, ଦୁଷ୍କର୍ମ ଓ ଦୁର୍ନୀତି ଭଳି ୪୩୦ଟି ଅତି ସଙ୍ଗୀନ ମାମଲା ରହିଛି । ଯେଉଁଥିରେ କୋର୍ଟ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡାଦେଶ ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ମାମଲାର ଶୁଣାଣି ଲାଗି ଆବଶ୍ୟକତା ଅନୁସାରେ ସେସନ୍ସ ଓ ମାଜିଷ୍ଟେରିଆଲ କୋର୍ଟକୁ ଦାୟିତ୍ୱ ଦେବା ଲାଗି  ହାଇକୋର୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Comments are closed.