Latest Odisha News

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୨)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ରିକ୍ସାରେ ବସିଲେ ସେ ଭୁଲିଯାଏ ତା’ର ଦୁଃଖ, ତା’ର ଅସହାୟ ପରିସ୍ଥିତି ମାନଙ୍କୁ । ତା’ ଭିତରେ ସୃଷ୍ଟି ହୁଏ ଗୋଟେ ବିନ୍‌ଦାସ ଠାଣି, ସେ ନିଜେସାହେବ… ନିଜେ ରାଜା… ନିଜେ ଈଶ୍ୱର ଠିକ୍ ତା\’ର ନା’ପରି । ସେ ଠକି ପଇସା ନିଏନି ଲୋକଙ୍କଠାରୁ; ମାତ୍ର ତା\’ର ହକ୍ ମଧ୍ୟ ଛାଡ଼େନି । ଭଲ ବ୍ୟବହାର ଦେଖାଇବାରେ କେବେ ମଧ୍ୟ କାର୍ପଣ୍ୟ କରେନାହିଁ ସେ । ସେ ଭାବେ ମଣିଷର ସୁନ୍ଦରତା ତା’ର ଚେହେରା ନୁହେଁ ତା’ର ବ୍ୟବହାର । ଯାହା ଗୋଟେ ମଣିଷକୁ କାହା ହୃଦୟରେ ସ୍ଥାନଦିଏ । ଈଶ୍ୱର ଭାବପ୍ରବଣ, ସରଳ, ଶାନ୍ତ, ନିରିହ ମଣିଷଟେ ଥିଲା । ଯେ ଅନ୍ୟର ଦୁଃଖ ଦେଖିଲେ ଦୁଃଖି ହୁଏ, ଅନ୍ୟ ସୁଖରେ ଆତ୍ମହରା ହୁଏ । ସାଙ୍ଗମାନଙ୍କ ପାଖରେ ରାଜାପରି ହୃଦୟବାନ୍ ସେ । ଯାହା ପାଇଁ ତାକୁ ଅନେକ ସାଙ୍ଗ ଅପବ୍ୟବହାର କରନ୍ତି । ମାତ୍ର ସବୁଜାଣି ମଧ୍ୟ ଈଶ୍ୱର ଆଡ଼କରେନି ତା’ର ସାଙ୍ଗମାନଙ୍କୁ । ତା’ ପାଇଁ ତା’ର ସାଙ୍ଗ ସହୋଦର ତା’ର ସମ୍ପତ୍ତି । ଯାହା ତାକୁ ଅଧିକାର ସୂତ୍ରରୁ ମିଳିନି ବରଂ ସେ କମାଇଛି ତା’ ସାମର୍ଥ୍ୟରେ । ନିଜକୁ ଶ୍ରେଷ୍ଠ ଭାବେ ଈଶ୍ୱର । ମନରେ, ହୃଦୟରେ ଏବଂ ଆତ୍ମାରେ । ପ୍ରତିଦିନ ତା’ ବୋଉ ରଡ଼ିକଲା ପରି କଥାରେ ଦୁଃଖପାଏ ଈଶ୍ୱର ।

ମା’ ତା’ର ପ୍ରତିଦିନ ପଇସା ଛଡ଼ାଇନିଏ ତା’ର ଅଧିକାର କହି । ମାଗିଲେ ପେଖନାକାଢ଼େ ନାଇ, ଖର୍ଚ୍ଚ ହୋଇଗଲା ବୋଲି । ଈଶ୍ୱର ରାଗେ ମାତ୍ର ବୋଉକୁ କିଛି କହିପାରେ ନାହିଁ । ଘରର ଅବସ୍ଥା ଖୁବ୍ ଭଲ ନୁହେଁ ଜାଣି ମଧ୍ୟ ସେ ତା’ ମା’ ଓ ଭଉଣୀଙ୍କୁ କାମ କରିବାକୁ ଛାଡ଼େ ନାହିଁ ପଦାକୁ । ସେ ଚାହେଁ ନାହିଁ ପୁଅ ଥାଉ ଥାଉ ମା’ ତା’ର ଅନ୍ୟଆଡ଼େ କାମ କରୁ । ମାତ୍ର ମା’ ମାନେ ନାହିଁ, ସେ କାମ କରେ । ଭଉଣୀକୁ ଘରେ ଛାଡ଼ି । ସେ ରୋଷେଇ କରେ, କପଡ଼ା କାଚେ, ଘର ସଫାରଖେ, ଘର ଆଗର ଛୋଟ ଜାଗାରେ ବିଭିନ୍ନ ପରିତ୍ୟକ୍ତ ଅଟାଜରିରେ ଗଛ ଲଗାଏ । ବାପା ମଦପିଇ ନିତି ମାତାଲ ହୁଏ । ତା’ର ଟଲିଖଣ୍ଡେ । ଅଧାଦିନ ପଡ଼ିରହେ ଘର ଆଗରେ । ଯେଉଁଠି ବାପା ତା’ର ଟ୍ରଲି ଉପରେ ଶୋଇଥାଏ ନିଜର ଗାମୁଛା ପାରି । ବର୍ଷାଦିନତକ ଛାଡ଼ି ଦେଲେ ବାକି ସବୁବେଳେ ସେ ଟଲି ଉପରେ । ଯାହା ରୋଜଗାର କରେ ପିଇଦିଏ । ପିଲାଦିନ ମନେପଡ଼ିଲେ ଈଶ୍ୱରର ଦେହ ଶିତେଇ ଯାଏ । ମା’କୁ ନିଇତି ପିଟେ ବାପା । ତା’ ଉପର ଭାଇ ମଧ୍ୟ ଥିଲା ଯେ ମରିଗଲା ଚିକିତ୍ସା ଅଭାବରୁ ଆଠବର୍ଷରେ । ସେଦିନ ଓଃ!! କି କରୁଣ ଦୃଶ୍ୟ ସେ ଥିଲା । ବୋଉ ତା’ର ପାଗଳୀ ହୋଇଯାଇଥିଲା । ନିଜର ଛାତିରୁ ଅଲଗା କରିନଥିଲା ତା’ର ମୃତ ପୁଅକୁ । କମ୍ପମାନ କରି ଦେଉଥିଲା ଅଦୃଶ୍ୟ ଈଶ୍ୱରକୁ ସମ୍ପି ସମ୍ପି । ସାନଭଉଣୀ କୋଳରେ ଥିବା ବୟସରେ ଥିଲା । ସାଡ଼େ ଚାରିମାସର । ବୋଉ ତାକୁ କୋଳକୁ ନନେଇ ତଳେ ଗଡ଼େଇ ଦେଇଥିଲା । ଯାହାକୁ ଈଶ୍ୱର ଆଉଁସି ଦେଉଥିଲା । ଈଶ୍ୱର ସେତେବେଳକୁ ମାତ୍ର ତିନିବର୍ଷ କି ଚାରିବର୍ଷର ଥିଲା ।

ଅନେକ ଘଟଣା ଆଜିବି ଅସ୍ପଷ୍ଟ ଚିତ୍ର ପରି ତା’ର ମନେଅଛି । ଔଷଧ ଦେବାକୁ ପଇସା ନଥିଲା । କାମରେ ଅବହେଳା କରିଦେଇଥିଲା ତା’ ବୋଉ ତା’ର ପୁଅର ଚିକିତ୍ସାରେ । ଯାହା ପାଇଁ ସେ ସବୁ ଦୋଷ ନଦି ଦେଇଥିଲା ତା’ର ଶାଶୁ ଓ ସ୍ୱାମୀ ଉପରେ । ମୋ’ ବୋଉର ଶାଶୁ ଓରଫ ଈଶ୍ୱର ଜେଜେମା ଦୋଷୀ ଦୋଷୀ ପରି ଅତି ବିକଳ ଭାବେ ବସିଥିଲା ଗୋଡ଼ଜାକି ପିଣ୍ଡାର ଗୋଟେ କୋଣକୁ । ତାରୁ କିନ୍ତୁ କ’ଣ ଦୋଷଥିଲା?? ସେ ଛାତିରେ ଲଗାଇ ଜିଉଁଥିଲା ତା’ର ନାତିନାତୁଣୀଙ୍କୁ ନେଇ ।

ଖୁବ୍ ସ୍ନେହୀ ଥିଲା ସେ । କଥାକଥାରେ କଳିକରୁଥିବା ରାଗୁଥିବା ବୋହୂକୁ ସହୁଥିଲା ଝିଅକରି । ତା’ ଉପରେ ଥିବା ବୋଝକୁ କମାଇବାକୁ ଚେଷ୍ଟାକରି ସେ ଅଧାଅଧି ରୋଷେଇ କରୁଥିଲା । ନାତିନାତୁଣୀର ସବୁ ଯତ୍ନ ନେଉଥିଲା । ସେଦିନ ମାନଙ୍କରେ ଅଭାବ ଖୁବ୍ ବେଶୀ ଥିଲା । ଓଳିଏ ଖାଇଲେ ଆର ଓଳି ଉପାସରେ କଟୁଥିଲା । ପାଠପଢ଼ିବାର ସ୍ୱପ୍ନ, ସ୍ୱପ୍ନ ହୋଇ ରହିଗଲା । ସେମାନେ ସେବେ ଗାଁରେ ଥିଲେ । ବାପା ଚାଷ କରୁଥିଲା । ମା’ ଆ’ତା ଘରେ ପାଇଟି କରିଦିଏ । କାହାଘରୁ ମୁଗ ବିରି ଚାଉଳ ମୁଠାଏ ଆଣେ । ବିଲରୁ କଙ୍କଡ଼ା, ମାଛ ଧରେ । ଧାନକୁଟେ, ଧାନଉଁଷାଏ, ଘସିପାରେ । ଚାଉଳ ପାଛୁଡ଼େ… ନଇଲେ ବାଦାମ ଚାଷ ସମୟରେ ବାଦମ ଛଡ଼ାଏ, ତେନ୍ତୁଳିରୁ ଚୋପାଛଡ଼ାଏ
ା ସେଦିନ ମାନକରେ ବୋଉ ତା’ର ଗୋଟେ ଶାଢ଼ୀରେ ମାସ ମାସ କାଟେ । କିଏ ପାଲଟଣା ଶାଢ଼ୀ ଦେଲେ ବଡ଼ ଶ୍ରଦ୍ଧାରେ ଆଣି ପିନ୍ଧେ । କେବେ ଯଦି କିଏ କାହା ବାହାଘରରେ ଶାଢ଼ୀ ଖଣ୍ଡେ ଦିଏ କି ଆନନ୍ଦ । ତା’ ଆଖି ଚିକ୍‌ଚିକ୍ କରେ ଖୁସିରେ । ସବୁବେଳେ ଅଭାବରେ ଚଳିଥିବା ହେତୁ ବୋଉର ହାତ ଖର୍ଚ୍ଚ କରିବାକୁ ପସନ୍ଦ କରେନି । ବଢ଼ିଲା ଝିଅ, ତା’ର ବାହାଘର ଅନେକ ସ୍ୱପ୍ନ ଖଞ୍ଜିଥାଏ ଆଖିରେ । ଯାହାକୁ ସେ ବାଣ୍ଟେ ଖାଲି ଈଶ୍ୱର ସହ । ଈଶ୍ୱର ତା’ର ପ୍ରାଣ, ମାତ୍ର ଅନେକ କଥା ହୁଏତ ସେ କହି ପାରେନା ପୁଅକୁ । ଅନେକ ଅଭାବବୋଧ ତାକୁ ଗୋଟେ କର୍କଷ କରି ଦେଇଥିଲା ସଂଭବତଃ ।

ଚାରିବର୍ଷ ତଳେ ସେ ପେଟପାଟଣା ପାଇଁ ଆସିଥିଲା ବାଙ୍କୀରୁ କଟକ । ସେ ଥିଲା ଅନ୍ୟ ରିକ୍ସାବାଲାଠାରୁ ଟିକେ ଅଲଗା, ଟିକେ ଭିନ୍ନ । ସେ ଅନେକ ସ୍ୱପ୍ନମାନଙ୍କୁ ଏକାଠି କରି ଜିଉଁଥିଲା । ସେ ଉଡ଼େ ପବନରେ ଅନେକ ପକ୍ଷୀଙ୍କ ଡ଼େଣାରେ ସବାର୍ ହୋଇ । ଭାସେ ପାଣିରେ, ଅନେକ ନାଲି କଇଁଙ୍କ ମେଳରେ । ବୁଡ଼େ ଅଗାଧ ସମୁଦ୍ରର ନୀଳଢ଼େଉ ମାନଙ୍କ ସହ ଲୁଚକାଳି ଖେଳି, ଡଲଫିନ୍‌ଙ୍କ ସହ । ଅନେକ ଅସୁମାରୀ ସ୍ୱପ୍ନ ଯାହା ସୁରକ୍ଷିତ ଥିଲା ତା’ର ସ୍ୱପ୍ନ ପ୍ରବଣ ଆଖି ଭିତରେ ।

ସାମାନ୍ୟ ପତଳା, ଘନକଳା ଗହଳ କୁଞ୍ଚକୁଞ୍ଚ ବାଳ । ପାଞ୍ଚଫୁଟ ତିନିଇଞ୍ଚ ଉଚ୍ଚତା ବିଶିଷ୍ଟ ଈଶ୍ୱର । ବା’ପାଦର ମଧ୍ୟମ ଆଙ୍ଗୁଠି ସହ ଥିଲା ଆଉ ଦୁଇଟି କୁନି କୁନି ଆଙ୍ଗୁଠି, ଯାହାକୁ ଜନ୍ମବେଳେ ତା’ ବୋଉ ଦେଖି ଖୁବ୍ ଖୁସି ହୋଇ ଯାଇଥିଲା । ସେ କାଳେ ଖୁବ୍ ଲକ୍ଷ୍ମୀବନ୍ତ ଏବଂ ସେ ହିଁ ତା’ର ବଂଶକୁ ଉଦ୍ଧାର କରିବ । ତା’ ସ୍ୱପ୍ନ ଭିତରେ ଥାଏ ଗୋଟେ ଚାରାଲତାର ମନିପ୍ଲାଣ୍ଟ ଯାହାର କୁନି କୁନି ପତ୍ର କେଇଦିନ ମଧ୍ୟରେ ଧିରେଧିରେ ବଡ଼ ବଡ଼ ପତ୍ରର ରୂପଧାରଣ କରୁଛି । ଆଉ ଲମ୍ବି ଯାଉଛି ଅନେକ ଉପରକୁ… ଆହୁରି ଉପରକୁ. ତା’ର ଲମ୍ବିବା ଯେମିତି ଶେଷ ନାହିଁ । ସେ ଗଛର ମୃତ୍ୟୁ ନାହିଁ । ତା’ ଡାହିରୁ ଆଉ ଗୋଟେ ଗଛ… ପୁଣି ତା’ଠାରୁ ଆଉ ଗୋଟେ… ଏମିତି ତା’ଭଳି ଅନେକ ସ୍ୱପ୍ନପ୍ରବଣ ମନର ମୃତ୍ୟୁ ନଥାଏ ଭାବେ ଈଶ୍ୱର । ସେ ପାଇଁ ସେ ଅଧିକ ସମୟ କାମ କରେ । ବୋଉକୁ ଲୁଚାଇ ସଞ୍ଚୟ କରେ । ତା’ର ଅନ୍ୟମାନଙ୍କ ପରି ବଦଖର୍ଚ୍ଚ ବା କିଛି ନିଶା ନାହିଁ । ବାପାକୁ ଓ ଅନ୍ୟମାନଙ୍କୁ ଦେଖିଲେ ଦୁଃଖ ପାଏ । ତାଙ୍କ ମାନଙ୍କ ପାଇଁ ତା’ ପରିବାର ଭୋଗୁଥିବା ଯନ୍ତ୍ରଣାକୁ ଦେଖି କାତର ହୁଏ । ବେଳ ଅଧେ ସେ ଜନବଳ ହୋଇ ଲୋକଙ୍କୁ ସାହାଯ୍ୟ କରେ । କାହାକୁ ସାହାଯ୍ୟ କଲେ ତା’ର ହୃଦୟ ଖୁସିରେ ଫୁଲିଉଠେ କେଇ ଇଞ୍ଚ ଉପରକୁ ।

କ୍ରମଶଃ…

Comments are closed.