ଇନ୍ଦ୍ରଧନୁ
ଅପୂର୍ବ ରଙ୍ଗର ଗୋଧୂଳିରେ ସ୍ବପ୍ନ ନେଇ ଫେରୁଥିବା ଗୋଟେ ଡଙ୍ଗାର ଚିତ୍ର ଥିଲା ବିଷୟ ହେଲେ ଆଙ୍କୁ ଆଙ୍କୁ ଥୁଣ୍ଟା ଗଛର ଶୁଖିଲା ଡାଳରେ ଚଢେଇର ବସାଟିଏକୁ ଆଙ୍କିଲି । ଚିତ୍ରର ନାଁ ଦେଲି “ନିମନ୍ତ୍ରଣ” । ଆବଦ୍ଧ ନଈର ଛଟପଟ ମୋ ଧମନୀରେ ବୋଲି ବୋଧେ ତରଳ ଦୁଃଖକୁ ଦୀପରେ ଢାଳି ଆଲୋକ ଖୋଜିବାର ଚେଷ୍ଟାରେ ଥାଏ ମୁଁ । ଚିତ୍ର ବି ଉତ୍ତୁରେ ସେହିଭଳି ମୋର ସଚେତନ ମନକୁ ଅଦ୍ଭୁତ ଭାବରେ ଅପଦସ୍ତ କରି । ଅଥଚ ଦେଖ ଚିତ୍ରକୁ ଚିଠି ଭଳି ଗାରେଇ ସୁନ୍ଦର କବିତା ସବୁ ଲେଖନ୍ତି ଇଭୁନ୍ ମୋ’ ପାଇଁ ମୋତେ ଚିତ୍ରମୟୀ ବୋଲି କହି । ଦେଇଥିଲେ କବିତାରେ କେତେ କଣ ଚିତ୍ର ଆଙ୍କି ଗତକାଲି । କବିତା ହୋଇ ଝରିଥିବା ଜୀବନକୁ ଚିହ୍ନୁ ଚିହ୍ନୁ ତୁମେ ହିଁ ଆଙ୍କି ହୋଇଗଲ ସେହି ଫର୍ଦ୍ଦରେ ,ପଢିବା ଭିତରେ । ଉପଲବ୍ଧିର ଅକ୍ଷରମାନଙ୍କୁ ସ୍ବପ୍ନ ରଙ୍ଗରେ ଧଉଳେଇ ତୁମେ ଆକାଶେଇ ଗଲ ବୋଲି ମୁଁ ଆଉଥରେ ଆରମ୍ଭରୁ ଭାବିହେଲି । ତୁମେ କଣ ସ୍ବପ୍ନର ପ୍ରତିଶବ୍ଦ ? ନାଁ …। ଆଦୌ ଇ ନୁହେଁ । ତୁମେ ହିଁ ମୋତେ ନିରିଖଉ ଥାଅ ଉତ୍ତଳ ଯବକାଚରେ ଏକାଗ୍ର ମନଯୋଗରେ ବୋଲି ମୁଁ ଜାଣେ । ଜାଣେ ବୋଲି ଡେଣା ଗଜରାଉଥିବାର ସ୍ବପ୍ନରେ ଥାଏ ।
ସ୍ୱପ୍ନ ଦେଖିବା ସହଜ ନୁହେଁ ସ୍ୱପ୍ନ ଭଳି ଲାଗୁଥିବା ଏ ଦୁନିଆଁରେ । ମୁଁ କଣ ହେବି , କେମିତି ଜୀଇଁବି ଏ ବିଷୟରେ ଭାବିବା ତ ଅଭିଳାଷ । ଏହାକୁ ସ୍ୱପ୍ନ କହି ହେବ କି ? ମୁଁ ସମସ୍ତଙ୍କଠାରୁ ଆଗୁଆ ଏବଂ ତୁରନ୍ତ ପହଁଞ୍ଚିବି – ଇଏତ ଉଚ୍ଚାକାଂକ୍ଷା । ୟାକୁ ସ୍ୱପ୍ନ ବୋଲେଇ ହେବ କି ? ମୁଁ କିନ୍ତୁ ସ୍ୱପ୍ନ ଦେଖିବାକୁ ଚାହେଁ । ସେଇ ସ୍ୱପ୍ନ ଯାହା ନଈ ପରି । କେବଳ ବହି ଚାଲିଥିବ ତାକୁ ଛୁଇଁ ଛୁଇଁ ଯାଇଥିବା ସ୍ଥଳଭାଗର ମୁହଁରେ ଦୀର୍ଘ ସ୍ମିତ ରେଖାଟେ ଆଙ୍କିଦେଲା ପରି । ସେଇ ସ୍ୱପ୍ନ ଯାହାକୁ ପୂର୍ଣ୍ଣ କରିବାକୁ ଯୋଜନାର ଅଙ୍କ କଷିବାକୁ ପଡୁ ନଥିବ । ଡେଣା ଝାଡ଼ୁ ଝାଡ଼ୁ ଖସେଇ ଦେଇଥିବା ଚଢେଇର ପର ଭଳି ହେଇଥିବ ସେହି ସ୍ବପ୍ନ ଯିଏ ପବନ ସହ ନିସର୍ତ୍ତରେ ବହି ଯାଉଥିବ । ଦୁନିଆଁର ବଡ଼ ଲୋକମାନେ ଯାହା ସଫଳ କି ସାକାର କରି ହୁଏନି ତାହା ସ୍ୱପ୍ନ ନୁହେଁ ବୋଲି ମନେ କରନ୍ତି । ମୁଁ କିନ୍ତୁ ସ୍ୱପ୍ନକୁ କେବଳ ସ୍ୱପ୍ନ ବୋଲି ମନେ କରେ । ସ୍ବପ୍ନକୁ ସ୍ବପ୍ନ ଭଳି ଦେଖିବା ପାଇଁ ବାସ୍ତବତାରୁ ଅଳ୍ପ ଅଳ୍ପ କରି ସ୍ୱପ୍ନ ସଞ୍ଚେ ଏବଂ ସେମିତି ଏକ ସ୍ୱପ୍ନିଳ ସମୟରେ ସ୍ବପ୍ନର ମଞ୍ଜି ବୁଣେ ବିଭୋରତାର ପାଣି ଛିଞ୍ଚି ଛିଞ୍ଚି । ସେଥିପାଇଁ ବୋଧହୁଏ କେହି ଜଣେ ଦେଇଥିବା ‘ ସିଞ୍ଚନ’ ନାଁଟିକୁ ମୁଁ ତୁମ ପାଇଁ ସାଇତି ରଖିଥିଲି ଗୋଟିଏ ଖିଆଲରେ ଯେମିତି ଦେଖିପାରିବି ସ୍ୱପ୍ନକୁ ତୁମ ନାମ ଭିତରେ । ଏମିତିରେ ତ ଲୋକେ ଯୋଜନା କରି ରାସ୍ତା କରନ୍ତି , ସେତୁ ତିଆରି କରନ୍ତି , ଆକାଶକୁ ଛୁଇଁଗଲା ଭଳି ଅଟ୍ଟାଳିକା ତିଆରି କରନ୍ତି । ଆଖିକୁ , କଳ୍ପନାକୁ ତାଜୁବ କରି ଇମାରତ ଗଢ଼ନ୍ତି । ଯୋଜନା କି ପ୍ରସ୍ତୁତି ଭିତରେ ସ୍ୱପ୍ନ ବୋଲି ଆଉ ରହିଲା କଣ ? ବୋଧହୁଏ ସେଥିପାଇଁ ମୁଁ ବଡ଼ ହେବାକୁ ଚାହେଁଇ ନାହିଁ । ପରିପକ୍ୱ ହୁଅ ବୋଲି କହୁଥିବା ଆଦେଶମାନଙ୍କୁ ଅଣଦେଖା କରି ନିଜକୁ ଲୁଚେଇ ଦେବାକୁ ଇଚ୍ଛା ଲାଗି ରହିଥାଏ ମୋ ସହ ସବୁବେଳେ ।
ଶିଶୁଟିଏର ମନ ନେଇ ଚିତ୍ର ପରି ଅସଂଲଗ୍ନ ସ୍ୱପ୍ନ ଆଙ୍କିବାକୁ ମନ ମୋର । ରାତିର ଅନ୍ଧାରକୁ କାନଭାସ କରି ତା’ର କଳା ପୃଷ୍ଠା ଉପରେ ମୁଁ ଆଙ୍କେ ଓ ଲିଭାଏ ( କାହାକୁ ଦିଶେ କଣ ସେହି ଚିତ୍ର !) ସ୍ୱପ୍ନ ପରେ ସ୍ୱପ୍ନ । କେବେ କେବେ ଦେଖେ ମେଘଖଣ୍ଡମାନଙ୍କୁ କାନ୍ଥ କରି ମୁଁ ବଖରେ ଘର ତୋଳିଦିଏ ସ୍ୱପ୍ନରେ । ତା ଭିତରେ ସାଇତିଥାଏ ଯାବତୀୟ ଘର କରଣା , ସାଜସରଞ୍ଜମ ଇନ୍ଦ୍ରଧନୁ ରଙ୍ଗର । ଘରର ବାହାର ପଟକୁ ସଜେଇଥାଏ ହସଙ୍କ ଫୁଲରେ । ସେ ଘରେ ଯେ ମୁଁ ସବୁଦିନେ ରହେ , ହଜି ଯାଉଥିବା ଗୋଟେ ଗୀତର ଲୟକୁ ପାଥେୟ କରି ଚଢ଼େଇଙ୍କୁ ସ୍ୱର ଶିଖାଏ , ଝିଣ୍ଟିକା ଭଳି ଡିଏଁ , କୁଦେ ସେ କଥା ବି ନୁହେଁ । କେବେ ଦିନେ ଆଙ୍କେ ନଈ ବଢ଼ିର ସ୍ୱପ୍ନ ଫର୍ଦ୍ଦେ ମରୁଭୂମି ଉପରେ । ଜାଣେ ଏମିତି ହେବାର ନାହିଁ କେଉଁ କାଳେ କିନ୍ତୁ ମୋତେ ଭଲଲାଗେ ତେଣୁ ସ୍ବପ୍ନ ଦେଖେ ।
ମୁଁ ସ୍ବପ୍ନ ଦେଖେ ପୃଥିବୀରେ ଥିବା ସବୁ ମାରଣାସ୍ତ୍ର ଅଚଳ ହୋଇଯିବାର କିନ୍ତୁ ତା ପରଦିନ ବିଭିନ୍ନ ଦେଶରେ ଘଟୁଥିବା ଯୁଦ୍ଧର ଖବର ଶୁଣେ । ତଥାପି ମୋ ସ୍ୱପ୍ନକୁ ମୁଁ ଆଙ୍କି ଚାଲିଥାଏ । ଆଙ୍କୁ ଆଙ୍କୁ ଦେଖେ ।ଅଳ୍ପ ହସେ । ଧୁମ କାନ୍ଦେ । ଲୋକେ ମୋତେ କେତେ କଣ ବିଶେଷଣରେ ସଂପାଦିତ କରି ଏକ ଅସମଯୋଜିତ ବିଭାଗରେ ରଖନ୍ତି । ମୁଁ ସେଇଠି ନିଜକୁ ପାଇ ବିସ୍ମିତ ହୁଏ । ଖୁସି ବି । ମୋର ସ୍ୱତନ୍ତ୍ରତା ମୋତେ ହାତ ଠାରି ଡାକେ ଆଉ ହସି ହସି ସୂଚେଇ ଦିଏ ଯେ ସୁସ୍ଥ ,ସଂହତ ବାସ୍ତବ ଜ୍ଞାନ ଥିବା ଲୋକେ ଯେଉଁ ଦୁନିଆ ଗଢିଛନ୍ତି ତାହା ସମୟେ ସମୟେ କେଡେ ଅସହ୍ୟ ଏବଂ ସମ୍ବେଦନହୀନ । ମୋର ସବୁ ପାରିଲାପଣ ଯେତେବେଳେ ପ୍ରଶ୍ନ ହୋଇ ତୁମକୁ ଖୋଜେ ସେତେବେଳେ ରୁନ୍ଧିଲାପଣର ତାତିରେ ଶିଝି କିଏ ମୋ ଭିତରେ ଆର୍ତ୍ତନାଦ କରେ ? ମୋର ଭୟ ନାଁ ସ୍ବପ୍ନ ? କେତେ ସତର୍କ ଓ ସଙ୍କୁଚିତ ତୁମ ସତ୍ତା ଯେତେବେଳେ ଆକଟକୁ ଆଳ କରି ମୁହଁ ଲୁଚେଇ ନିଏ ସ୍ବପ୍ନ । ମୋତେ ଥରେ ଖାଲି ଜାଣିବାର ଅଛି ଅସ୍ଥିରତାରୁ ବ୍ୟାକୁଳତା ଦେଇ ଯେଉଁ ସ୍ବପ୍ନ ଫୁଲର ବାସ୍ନା ଭଳି ତୁମେମୟ ହୋଇ ମୋ ଯାଏଁ ମହକେଇ ଦେବାର ସିଦ୍ଧାନ୍ତ ଧରି ଆସିଥିଲା ସେ ଅଟକିଛି କେଉଁଠି ଏବଂ କେମିତି ? ତେବେ ଏଇଠି ଏମିତି ଅନିଶ୍ଚିତତାରେ ସ୍ଥିର ହୋଇ ରହିବ କି ସ୍ବପ୍ନ ?
ଏଥର ଆଖି ନୁହେଁ ତୁମ ସ୍ପନ୍ଦନକୁ ଖୋଜି ହେଉଛି ମୁଁ । ନିଅ , ଅଙ୍କୁରିତ ହେବାର ନିଶ୍ଚିତତା । ନିଅ, ସେହି ବତୁରା ମାଟିର ପ୍ରାଣ ଯେଉଁଥିରେ ଶିଳ୍ପୀ ଗଢେ ମୂର୍ତ୍ତି , ଆରୋପିତ କରିଥାଏ ପ୍ରାଣ । ସେ ଯାଏଁ ସ୍ବପ୍ନକୁ ଶବ୍ଦ ସହ , ରଙ୍ଗ ସହ ହୁଏତ କିଛି ସମୟ ପାଇଁ ବାସ୍ତବତା ସହ ଛାଡ଼ି ଦିଆଯାଉ ଆପଣା ଛନ୍ଦରେ ସ୍ବାଧୀନତାକୁ ଆକଣ୍ଠ କରିବାକୁ । ମୁଁ ତ ଏମିତିରେ ହିଁ ଅସ୍ଥିର , ଅଧୈର୍ଯ୍ୟ ନିଜ ଭାବନାମାନଙ୍କ ପ୍ରାବଲ୍ୟରେ । ଖୋଜୁଥାଏ ସ୍ବପ୍ନ ଭଳି ସ୍ବପ୍ନ କିଛି ଜୀଇଁବାର ଅଭିପ୍ରାୟରେ । ଦେବ ??
ତୁମର ‘ମୁଁ’
Comments are closed.