Latest Odisha News

ଭାଷା ଭାଗବତ : ସଦ୍ୟତମ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ

ଭାଷାର ବିସ୍ତୃତ ସଂସାର
‘ ସାହିତ୍ୟ ‘ କ୍ଷୁଦ୍ରାଂଶ ତହିଁର
ବହିରେ ତତ୍କାଳୀନ ଜ୍ଞାନ
କରେ ସର୍ବଦା ଅବସ୍ଥାନ

ଅନେକ ଗ୍ରଂଥାଶ୍ରିତ ଜନ
ସଂଗ୍ରହ କରି ବାସି ଜ୍ଞାନ
କରଂତି ସଜ ବୋଲି ଦାବି
ଏଯାଏଁ ନୁହଂତି ପ୍ରଭାବୀ

ଲୋକଂକ କଥା କାନେ ଶୁଣି
ଭାଷାକୁ ଭଲଭାବେ ଜାଣି
କରିଲେ ଭାଷାର ବର୍ଣନା
ସଜ ସତ୍ୟ ପଡ଼ଇ ଜଣା

ଘରେ ଏକାକୀ ବସି ରହି
ପଢ଼ିଲେ ସୁଦ୍ଧା ବହୁ ବହି
ତହିଁରୁ ମିଳେ ଯେଉଁ ଜ୍ଞାନ
ତାହା ତ ସତେ ତତ୍କାଳୀନ

ଯେଉଁ କାଳ ଗଲାଣି ବିତି
ତାହାକୁ ହୁଏନି ସାଇତି
ତା ସହ ଅଧିକ ସଂପୃକ୍ତି
କରୁଛି ବହୁବିଧ କ୍ଷତି

ନ କଲେ ଔଚିତ୍ୟ ବିଧାନ
ବାସ୍ତବତାକୁ ଦେଇ ଧ୍ୟାନ
କରିଲେ ଲୋକଂକୁ ଶ୍ରବଣ
ମିଳିବ ସଦ୍ୟତମ ଜ୍ଞାନ

‘ ସାହିତ୍ୟ ‘ ସହ ବହୁ କିଛି
ପ୍ରତ୍ୟହ ଭାଷାରେ ହେଉଛି
ସେହି ଆଡ଼କୁ ନେଲେ ମନ
ମିଳିବ ଅଭିନବ ଜ୍ଞାନ

ଭାଷା-ଭୂମିରେ ଚାଲି, ବୁଲି
ଶୁଣି ବଚନ ବହୁ ଭଳି
ମଥାରେ କଲେ ବିଶ୍ଳେଷଣ
ମିଳିବ ପ୍ରାମାଣିକ ଜ୍ଞାନ

ଏପରି ଶ୍ରମସାଧ୍ୟ କାର୍ଯ
ଲୋକଂକୁ ନ ହେଲେ ସ୍ବୀକାର୍ଯ
ଚଳିବ ଆଉ କିଛି ଦିନ
ସହଜ ଲିଖିତ-ଲିଖନ

ଗ୍ରଂଥ ତ ନୁହେ ଜ୍ଞାନାଶୟ
ଏହା ମାନିବା ପାଇଁ ଭୟ
ମନରୁ ଦେଲେ ଏବେ ତଡ଼ି
ଖେଳିବ ଜ୍ଞାନର ଲହଡ଼ି

Comments are closed.