Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଲିପି ରକ୍ଷା ଦୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୩ 

ଯାହାର ନାହିଁ ଧନ, ଜନ
କରେନି ଆତ୍ମ ବିଜ୍ଞାପନ
ତାହାର ଏକନିଷ୍ଠ ମନ
କରଇ ଅସାଧ୍ୟ ସାଧନ

ଏପରି ବ୍ୟକ୍ତି କେତେ ଜଣ
ଥିବାରୁ ଲିପି ବିଲୋପନ
ଏଯାଏଁ ହୋଇ ପାରିନାହିଁ
ଯା ହେଉ ଅଛି ଜିଇଁ ରହି

ଉଦ୍‌ଭାବନକାରୀଂକୁ ଖୋଜି
ସାହାଯ୍ୟ କରିବାକୁ ରାଜି
ହୁଅଂତୁ ଏବେ ଜ୍ଞାନୀଗଣ
ସ୍ବଲିପି ଲୋଡ଼େ ସମର୍ଥନ

ବ୍ୟକ୍ତିର କାର୍ଯକୁ ସମୀକ୍ଷା
କରିବା ପରୀକ୍ଷା ନିରୀକ୍ଷା
ସ୍ବଭାଷା କରିବାକୁ ରକ୍ଷା
ନେବାକୁ ହେବ ଏବେ ଦୀକ୍ଷା

କଲେ ଲିଖନ ନିତ୍ୟାଭ୍ୟାସ
ସାମର୍ଥ୍ୟ ଆସେ ବ୍ୟକ୍ତି ପାଶ
ଲିପି ଲେଖିଲେ ବାରଂବାର
ଦକ୍ଷତା ବଢ଼ିଥାଏ ଶୀଘ୍ର

ଲିପି ଲିଖନ ନିତ୍ୟାଭ୍ୟାସ
ଘଟାଏ ଭାଷାର ବିକାଶ
ଲିପିର ନିତ୍ୟ ବ୍ୟବହାର
ସାକ୍ଷର ପାଇଁ ଦରକାର

ଲିଖିତ ଭାବନା ସୁସ୍ପଷ୍ଟ
ହେଲେ ହିଁ ଜ୍ଞାନ ସୁନିର୍ଦିଷ୍ଟ
ବଢ଼ାଉଥାଏ ଭାଷା ମାନ
ମିଳେ ବିହିତ ସମାଧାନ

ସାକ୍ଷର ବ୍ୟକ୍ତି ହୋଇ ସୁଦ୍ଧା
ଲେଖିବା ପାଇଁ ଅସୁବିଧା
ହେଉଛି ବୋଲି କହେ ଯିଏ
ସ୍ବଲିପି ପ୍ରେମୀ ନୁହେ ସିଏ

ଫୋନ୍‌କୁ ଛୁଇଁଲେ ଆଂଗୁଠି
ଦେଖୁଁ ଅକ୍ଷର ଉଠେ ଫୁଟି
ତଥାପି ନ କରି ଲିଖନ
ବିତାଉଁ ଆମର ଜୀବନ

ଆମେ ଯେହେତୁ ଅସଂପୃକ୍ତ
ଆମର ଲିପି ଅନାଦୃତ
ହୋଇଛି ଜାଣି ସୁଦ୍ଧା ଆମେ
ଲାଗିପାରୁନୁ ଭାଷା କାମେ

Leave A Reply

Your email address will not be published.