ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୨
ଯେ ପଢ଼େ, ଶୁଣେ ଭାଗବତ
ସ୍ବତଃ ହୁଏ ସେ ଶୃଂଖଳିତ
ଏହାର ପ୍ରଭାବ ଅଦ୍ଭୁତ
ମର୍ମରେ ହୁଏ ଅନୁଭୂତ
ଧାଡ଼ିକ ନଅଟି ଅକ୍ଷର
ବହନ କରେ ଭାବଭାର
ସରଳ ଶବ୍ଦ ସମାବେଶ
ଭାଷାରେ ଭରିଦିଏ ରସ
ଏହାର ପଠନ ବ୍ୟାଖ୍ୟାନ
ଏଯାଏଁ ହୁଏ ପ୍ରତିଦିନ
ଆଚ୍ଛନ୍ନ କରେ ଜନମନ
ବୁଝଂତି ଜନସାଧାରଣ
ପ୍ରଥମେ ଭାଷା ଭାଗବତ
ମୋ ଦ୍ବାରା ଲିଖିତ, ପଠିତ
ହୋଇ ରହିଲା ସୀମାୟିତ
ମୋତେ ହିଁ କଲା ଉପକୃତ
ଏହାର ବ୍ୟାପକ ପ୍ରସାର
ଏବେ ପଡ଼ୁଛି ଦରକାର
ଜଣାଇଦେଲେ ବଂଧୁବର
ପ୍ରସ୍ତାବ କଲି ମୁଁ ସ୍ବୀକାର
ତେଣୁ ଏବେ ଏ ଶବ୍ଦରାଜି
ପଦକୁ ପଦ ଦେଇ ଖଂଜି
ପଠାଇବାକୁ ହେଲି ରାଜି
କରି ଯାଂତ୍ରିକ ସଜାସଜି
ଏକଦା ଧର୍ମକଥା ଧରି
ଏ ଧାରା ଯାଇଛି ପ୍ରସରି
ଧନ୍ୟ ସେ ଜଗନ୍ନାଥ ଦାସ
କରିଲେ ସଦ୍ଭାବ ପ୍ରକାଶ
ଆଧୁନିକ କି ଉପକାରୀ
ହେବି ମୁଁ ତାହା ବୁଝି ସାରି
କରୁଛିଁ ସେପରି ଲିଖନ
ପରଂପରାର ସଂରକ୍ଷଣ
ଆମ ଭାଷାର ଶ୍ରେଷ୍ଠ ଛଂଦ
ଚେଷ୍ଟା ବିହୁନେ ହେଲା ବଂଦ
ବୁଝିବା ତାର ଉପକାର
ଲେଖିଚାଲିବା ପୁନର୍ବାର
କରିଲେ ସଂସ୍କୃତି ଉଦ୍ଧାର
ପାଇବା ସର୍ବ ଉପକାର
ରୀତିରେ ବଢ଼ିଲେ ଭରସା
ହଟିବ ଆମ ଦୁଃଖଦଶା
ଯାହା କରିବା, ତାହା ହେବ
ଦିଶିବ ଭାଷାର ବିଭବ
ଲୋଡ଼ୁଛି ଲୋକଂକ ସଂପୃକ୍ତି
ସ୍ବଭାଷା ଟିକେ ଅନୁରକ୍ତି
ଆମର କର୍ମ ତତ୍ପରତା
ବଂଚାଇ ରଖୁ ଭାଷା ସତ୍ତା
ଆମେ ଗୌରବ ଅଧିକାରୀ
ପାରିବା ଭାଷା ରକ୍ଷା କରି
Comments are closed.