ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୬
ଏ ମାଟି ମନ ନୁହେ ବାଂଝ
ଯାହାର ଯାହା ଇଚ୍ଛା ଖଂଜ
ବିତିଯିବ ଏ କାଳସଂଜ
ମଂଜିରୁ ବାହାରିବ ମଂଜ
ଜ୍ଞାନୀଏ ହେଲେ ଲୋକଛଡ଼ା
ସାହିତ୍ୟ ହୋଇଲା ଅଲୋଡ଼ା
ପରକଥାରେ ଗଲେ ଭଳି
ମନରେ ଜମିଯାଏ ମଳି
ନିଜର ଭାଷାକୁ ପାସୋରି
ଅପର ଭାଷାକୁ ଆଦରି
କରିଲେ ଯାହା ଯେତେ ତ୍ରୁଟି
ସେ ସବୁ ଦିଶୁଛି ଉକୁଟି
ସଂସାର ନୁହେ ଶ୍ରେଣୀ କକ୍ଷ
ଯେଉଁଠି ଶିକ୍ଷାର୍ଥୀ, ଶିକ୍ଷକ
ଦେଖାଇ ପରଭାଷା ପ୍ରୀତି
ଚଳିପାରିବେ ଦିନରାତି
ଭାଷାରେ ସଭିଏଁ ସମାନ
କେ ନୁହେ ବଡ଼ ଅବା ସାନ
ଅଧିକ ଲୋକ ଯାହା ବୁଝି
ପାରଂତି, ରହିବ ବିରାଜି
ଲେଖକେ ହେଲେ ଗ୍ରଂଥାଶ୍ରୟୀ
ଅଶୁଣା ଶବ୍ଦ ଆଣି, ଥୋଇ
ଦେଖାଂତି ନିଷ୍ଫଳ ପାଂଡିତ୍ୟ
ସାହିତ୍ୟ ହୁଏ ଅନାଦୃତ
ସାହିତ୍ୟ ହେଲେ ପ୍ରଦର୍ଶନୀ
ଭାଷାର ହୁଏ ବେଶି ହାନି
ଅବୋଧ୍ୟ ରଚନା ସଂଭାର
ଲୋକଂକୁ ନୁହେ ଦରକାର
ନିଜ ଭାଷାରେ ବିଶ୍ବଜ୍ଞାନ
କରିଲେ ସମୀକ୍ଷା ଲିଖନ
ହୋଇବ ଜ୍ଞାନର ପ୍ରସାର
ସର୍ବେ ପାଇବେ ଉପକାର
ଗାଆଁର କଂଚା ଗ୍ରାମ୍ୟ ଭାଷା
କରିବ ମେଧାକୁ ସରସା
ନ କରି ତାହାକୁ ତାଚ୍ଛଲ୍ଯ
ଦେବା ଆଦର ଆଉ ଗେଲ
ଆମର ଅଗଣିତ ଲୋକ
ସହଂତି ଶୁଦ୍ଧଜ୍ଞାନ ଭୋକ
ଲୋଡ଼ଂତି ଅକ୍ଷର ଆହାର
ଦେବାକୁ ହୋଇବା ତତ୍ପର
ଚେରକୁ ଯାଇଅଛୁଁ ଭୁଲି
ଏବେ ଦେଖିବା ମାଟି ଖୋଳି
ଢାଳିବା ସାର ଆଉ ଜଳ
ନିଶ୍ଚୟ ମିଳିବ ସୁଫଳ
Comments are closed.