Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ଏ ପରିସ୍ଥିତି, ଭାଷାର ଏପରି ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୫  

ଅନୁଶୀଳନ ଅଧ୍ୟୟନ
ତଥ୍ୟ ସମୃଦ୍ଧ ବିଶ୍ଳେଷଣ
ନ କରି ଦିଅଂତି ଭାଷଣ
ଦେଖାଂତି ଗ୍ରଂଥ ଉଦ୍ଧରଣ

ଏହା ହିଁ ପ୍ରଧାନ କାରଣ
କେବଳ ପ୍ରଶଂସା ଭାଜନ
ନିମଂତେ ହୁଏ ଲେଖାମାନ
ଅଗ୍ରାହ୍ୟ ତ୍ରୁଟି ସଂଶୋଧନ

ନାହିଁ ଯୋଜନା କିଂବା ନୀତି
ଭାଷାର ଏହି ପରିସ୍ଥିତି
ଭାଷାର ଏହିପରି ସ୍ଥିତି
ବିଶିଷ୍ଟ ବର୍ଗ ନ ବୁଝଂତି

ପ୍ରଶ୍ନ ତ ରହିଛି ଅନେକ
ଉତ୍ତର ଟେକୁନାହିଁ ବେକ
ପ୍ରକ୍ରିୟା ଏଠାରେ ସ୍ଥଗିତ
ହୋଇପାରୁନି ଭାଷା ହିତ

ବ୍ୟକ୍ତି ହିଁ ରହୁ କର୍ମରତ
ନ ହୋଇ ବେଶି ବିଚଳିତ
ତାହାର କଲା କର୍ମମାନ
ସୂଚାଇ ପାରେ ସମାଧାନ

‘ ରହିଲେ ସଭିଏଁ ନିରବ
ବଢ଼ିବ ଭାଷାର ଗୌରବ ‘
ଏପରି ଧାରଣା ପୋଷଣ
କରଂତି ଜନସାଧାରଣ

ମନକଥାକୁ ମନେ ରଖି
କେବେ ହେଁ କିଛି ବି ନ ଲେଖି
ଚଳଂତି ଏଠି ଜ୍ଞାନୀଗଣ
ଗୋଟାଂତି ଅଜସ୍ର ସମ୍ମାନ

ଆମର ସାଂପ୍ରତିକ ଧାରା
ଭାଷାକୁ କରେ ଅଧମରା
ଲୋକେ ନ ହୋଇ ସଚେତନ
କରଂତି ଶ୍ରାଦ୍ଧ ଆୟୋଜନ

କେବଳ ପ୍ରାର୍ଥନାର ବଳ
କରେନି ଭାଷାକୁ ସବଳ
ଏହା ତ ସର୍ବଜଣା କଥା
ବୁଝିପାରୁନି ଜ୍ଞାନୀ ମଥା

‘ ଏହା ହେଉ ଓ ତାହା ହେଉ ‘
ଆମେ ସର୍ବଦା କହୁଥାଉଁ
କେବେ ତ କିଛି ହୋଇନାହିଁ
ଏ ସତ୍ୟ ବୁଝୁନୁ କିପାଇଁ ?

Leave A Reply

Your email address will not be published.