ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୦
କୋଶଳ, କଳିଂଗ, ଉତ୍କଳ
ଭାବନା ସକ୍ରିୟ ସଚଳ
ହେଲେ ହେଁ ‘ ଓଡ଼ିଶା ‘ ପ୍ରଦେଶ
ଭୁଲିଛି ଏହି ଇତିହାସ
ଇତିହାସରୁ ପାଇ ଶିକ୍ଷା
କରିପାରୁନି ଭାଷା ରକ୍ଷା
ଏହି ନିଷ୍ଠୁର ବାସ୍ତବତା
ବୁଝଂତିନାହିଁ ଗଣନେତା
ସଭିଂକୁ ନ କରି ସ୍ବୀକାର
କରିଲେ ଅଯଥା ଧିକ୍କାର
ଅଥବା ଅବମୂଲ୍ୟାୟନ
ଘଟଇ ସମୂହ ପତନ
ଅତି ଅତୀତାସକ୍ତ ହୋଇ
ବର୍ତମାନକୁ ଭୁଲିଯାଇ
ଯାହା ବି କରୁଛି ଓଡ଼ିଶା
ତାହା ନିର୍ଲଜ୍ଜ ପେଟପୋଷା
କିଏ କାହିଁକି ଉପେକ୍ଷିତ
ଅପ୍ରକାଶିତ ସ୍ପଷ୍ଟ ସତ
ସଂଖ୍ୟାବହୁଳ ଲୋକମତ
ସତ୍ୟରୁ ଅଧିକ ଆଦୃତ
କରିଲେ ପୂର୍ବକୀର୍ତି ଗାନ
ଅଥବା ଭୂଖଂଡ ବର୍ଣନ
ସ୍ମୃତି ଆଚ୍ଛନ୍ନ ହୁଏ ମନ
ସ୍ବପ୍ନକୁ ନ ମିଳେ ନୟନ
ସ୍ମୃତି-ଜୀବୀ ଏଠାର ଲୋକ
ପେଟରେ ଧରି ତୁଚ୍ଛ ଭୋକ
ଦେଖିନାହାଂତି ଜ୍ଞାନାଲୋକ
ପାଆଂତି ଦୁଃଖ, କଷ୍ଟ, ଶୋକ
ଭାଷା ଭିତ୍ତିରେ ଗଢ଼ା ରାଜ୍ୟ
ମାଗୁଛି ଅନ୍ୟର ସାହାଯ୍ୟ
ହେଲେ ବି ଏହା ବିଡ଼ଂବନା
ଜାଗ୍ରତ ହେଉନି ଚେତନା
ଲୋକଂକ ପରଭାଷା ପ୍ରୀତି
ଯୋଗୁଁ ଏ ଭାଷା ଓ ସଂସ୍କୃତି
ସହିନେଉଛି ବହୁ କ୍ଷତି
ବୁଝୁନି ସୁଜ୍ଞାନୀଂକ ମତି
ସ୍ବଭାଷା ହେଲାଣି ବେପାର
ମାନ ଓ ଧନ ରୋଜଗାର
କାମରେ ରହିଛଂତି ମାତି
ବଦଳିଗଲାଣି ପ୍ରକୃତି
ଅଳପ ଲୋକ ଗଢ଼ି ଗୋଠ
କହଂତି ‘ ଆମେ ସର୍ବଶ୍ରେଷ୍ଠ ‘
ଏହା କେଉଁ ଶାସ୍ତ୍ରୀୟ ପାଠ ?
ନିରୁତ୍ତର ଏ ଭାଷାହାଟ
ହତାଶା ଜର୍ଜରିତ ଜ୍ଞାନୀ
ଗୁଣୀ, ଗରିବ, ସ୍ବାଭିମାନୀ
ରହଂତି ଯେଉଁଠି ନିରବ
ତାହା ଏ ମାଟିର ଗୌରବ!
Comments are closed.