ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୨
ଧାରାରେ ପାରୁନାହିଁ ବହି
ତେଣୁ କୂଳରେ ବସି ରହି
ଦେଖୁଛିଁ ପ୍ରବାହର ଗତି
ପୁନର୍ଜୀବିତ ଲୁପ୍ତ ଭୀତି
ଯେଉଁଠି ବାଲି ଥାଏ ରହି
ତାହାକୁ ନଦୀ ବୋଲି କହି
ସଭିଏଁ ଜଳକଷ୍ଟ ସହି
ନିଜେ ଦୁର୍ବହ ଭାର ବୋହି
ଗାଆଂତି ସ୍ରୋତସ୍ୱତୀ ଗାଥା
ଏହା ଏ ଭାଷାର ଅବସ୍ଥା
ଘୋଡ଼ାଇ ରଖି ବାସ୍ତବତା
କବିଏ ଲେଖଂତି କବିତା
ବ୍ୟକ୍ତିର ଖ୍ୟାତି ଯାଏ ବଢ଼ି
ସ୍ବଭାଷା ରହିଥାଏ ପଡ଼ି
ମେଳା ଉତ୍ସବ ଧାଡ଼ି ଧାଡ଼ି
ଗୋଟିଏ ପରେ ଗୋଟେ ମାଡ଼ି
ଆସଂତି ଏଠି ପ୍ରତି ବର୍ଷ
ଦିଅଂତି କ୍ଷଣଜୀବୀ ହର୍ଷ
ସ୍ମୃତି ହିଁ ଜାତିର ସଂପଦ
ସଭିଂକ ପାଇଁ ଶ୍ରଦ୍ଧାସ୍ପଦ
ସବୁଠି ନିଷ୍ଠୁର ବଂଧନ
କେବଳ କଳ୍ପନା ଇଂଧନ
ଯୋଗୁଁ ଭାଷାର ଗୁଣମାନ
କରିପାରୁନୁ ନିର୍ଧାରଣ
ବହୁଖଂଡିତ ଲୋକ ମନ
ଗୋଟିଏଠାରୁ ଆନ ଭିନ୍ନ
ସଂଭବ ହୋଇନି ଏକତା
ତେଣୁ ମିଳୁନି ନିରାପତ୍ତା
କେବେ ଉପର, କେବେ ତଳ
ମଜାଳିଆ ଏ ଦୋଳି ଖେଳ
ଖେଳିଲେ ଲାଗେନାହିଁ କ୍ଳାଂତ
ଦଉଡ଼ି ଛିଂଡିବା ପର୍ଯଂତ
ଦଉଡ଼ି ଯେବେ ଯାଏ ଛିଡ଼ି
ସହଜେ ହୁଏନାହିଁ ଯୋଡ଼ି
ଥିଲେ ହେଁ ଭାଷାଗ୍ରହୀ ଲୋକ
ଉଦ୍ଦେଶ୍ୟ, ଲକ୍ଷ୍ୟ ନୁହେ ଏକ
ପରସ୍ପରଠୁଁ ହୋଇ ଛିନ୍ନ
କରିପାରୁନୁ ଉନ୍ନୟନ
ସଭିଏଁ ଅଟୁଁ ଭାଷାସକ୍ତ
ଅନେକ ଗୋଷ୍ଠୀରେ ବିଭକ୍ତ
Comments are closed.