Latest Odisha News

ଭାଷା ଭାଗବତ : ସ୍ବହସ୍ତେ ସ୍ବଭାଷା ଟେକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୭

ଲଢ଼ିବାକୁ ପୋଷୁଁ ସାହସ
ମୁହଁରେ ଚହଟାଉଁ ହସ
ହସ କରେନାହିଁ ନିରାଶ
କରିବା ଏ କଥା ବିଶ୍ବାସ

ଆଶା ଥିଲେ, ଥାଏ ପ୍ରୟାସ
ଆସ୍ଥା ଥିଲେ, ଥାଏ ବିଶ୍ବାସ
କାର୍ଯସାଧନ ଅନାୟାସ
କରଇ ଆପଣା ସାହସ

ହୋଇଲେ ସଂସ୍କାର ବିମୁଖ
ରହିବନାହିଁ ଭାଷା-ଟେକ
କରିଲେ ଘଷାମଜା କାମ
ସ୍ବଭାଷା ହୋଇବ ଉତ୍ତମ

ସ୍ବହସ୍ତେ କଲେ ଲେଖାଲେଖି
ସ୍ବଭାଷା ହେବ ଏବେ ଟେକି
ଭାଷା ସହିତ ଜ୍ଞାନ, ଭାବ
ବଢ଼ିଲେ, ଘୁଂଚିବ ଅଭାବ

ଏବେ ତ ଏକା ଥାଇ ଘରେ
ଯେ କେହି ଯୋଗାଯୋଗ କରେ
ବିଜ୍ଞାନାଶ୍ରୟୀ ହେଲେ ଭାଷା
ବଢ଼ାଏ ଆଶା ଓ ଭରସା

ମାଧ୍ୟମ ହେଲେ ପରିଚ୍ଛନ୍ନ
ମୂକତା ହୋଇବ ନିଶ୍ଚିହ୍ନ
ସଂପର୍କ ହେବ ଦୃଢ଼ତର
ସୁଂଦର ହେବ ଏ ସଂସାର

ମୁଖରତା ଓ ନିରବତା
ଉଭୟ ଯୋଗୁଁ ଅସ୍ପଷ୍ଟତା
ବଢ଼ିଲେ, ଲୋକମନ କଥା
ହରାଇଥାଏ ନିଜ ସତ୍ତା

ରହିଲେ ସଂଯମ, ଶୃଂଖଳା
ବୁଡ଼େନି କେବେ ଭାଷା ଭେଳା
ଭାଷା ପାଇଲେ ଅବହେଳା
ଆପେ କହେ ‘ ଏଠାରୁ ପଳା ‘

ମନରୁ ହେଲେ ଅଂତର୍ହିତ
କେବେ ବାହୁଡ଼ି ଆସେନି ତ
ଆପଣା ମାତୃଭାଷା ଛାଡ଼ି
ମଣିଷ ପାରେନାହିଁ ବଢ଼ି

ପିଲାଦିନରୁ ଶିଖି ଭାଷା
ମଣିଷ କରିଲେ ଭରସା
ଭାବ ପ୍ରକାଶ ନିର୍ବିକଳ୍ପ
ହୁଏ ଅଧିକ ଅବା ଅଳ୍ପ

ମାତୃଭାଷା ମହିମା ବୁଝି
ପ୍ରୟୋଗ କରିବାକୁ ରାଜି
ହୁଅଂତି ଯେଉଁ ବିଜ୍ଞଜନ
ସୁଖରେ ବିତାଂତି ଜୀବନ

 

Comments are closed.