ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୮
ବିରାଡ଼ି କହେ ‘ ମ୍ୟାଉଁ ମ୍ୟାଉଁ ‘
ମୁଁ କହେଁ ‘ ମାଛ ନାହିଁ ଆଉ ‘
‘ ଭୋଓଭୋ ‘ କୁକୁରଟି ଭୁକେ
ମୁଁ ଝର୍କା ଖୋଲି ଯାଇ ଦେଖେଁ
କେହି ନ ଦେଲେ ଦେଖା କାହିଁ
କହେଁ ‘ ଶୋଇଥା’ ଚୁପ୍ ରହି ‘
କାଉଟେ କାହୁଁ ଆସେ ପଶି
ରଂଧାଘରର ଚାଳେ ବସି
କରେ ତୁଛାକୁ ‘କାଆକାଆ’
ମୁଁ କହେଁ ‘ ପଳା, ଏଠୁ ଯାଆ ‘
ପ୍ରଜାପତିଟେ ଆସି କହେ
‘ ମେଘର ବାର୍ତା ଦେବା ଚାହେଁ ‘
ମୁଁ କହେଁ ‘ ତୋର ଅଭିଜ୍ଞତା
ଶୁଣାଇପାରୁ ଫୁଲ କଥା
ଯାହା ତୁ ମୋଟେ ଜାଣିନାହୁ
କାହିଁକି କହିବାକୁ ଚାହୁଁ ? ‘
ପଶୁପକ୍ଷୀ ମାନଂତି କଥା
ମଣିଷ ଲୋଡ଼େ ସ୍ବାଧୀନତା
କହଂତା ମନଗଢ଼ା କଥା
ତେଣୁ ତ ଏପରି ଅବସ୍ଥା
ଭାବ ଓ ଭାଷାର ମିଳନ
ହେଲେ, ସଂଭବ ସମାଧାନ
ଏବେ ତ ଅସଂଖ୍ୟ ସମସ୍ୟା
ସହିତ ଲଢ଼ୁଛି ସ୍ବଭାଷା
ଅଜ୍ଞାନ ମୁଖରୁ ପ୍ରଶଂସା
ଶୁଣିଲେ ଜ୍ଞାନୀଂକ ଦୁର୍ଦଶା
କିପରି ବଢ଼ିଥାଏ, ଦେଖି
ବହୁ କଥା ପାରିବା ଶିଖି
ଭାଷାର ବିଶେଷଣ ପ୍ରତି
ମନରେ ରଖୁଁ କିଛି ଭୀତି
ତା ଯୋଗୁଁ ବିଶେଷ୍ୟର କ୍ଷତି
କରଇ ବେଶି ଦ୍ରୁତ ଗତି
ଜଣେ ଚାଷୀଠୁଁ ପାଇ ପାଣି
ଗଛଟେ ଦିଏ ଫଳ ବୁଣି
ଜଣେ ପାଠକ ସମର୍ଥକ
ମିଳିଲେ, ସାମାନ୍ୟ ଲେଖକ
ହୁଅଇ ଶବ୍ଦର ସାଧକ
ସମୂହ ନୁହେ ତା ବାଧକ
ଲେଖକ ବିଶ୍ବାସ ଆଶ୍ରୟୀ
ସ୍ବଭାବେ ହୁଏ ଭାଷାଧ୍ୟାୟୀ
ଏହା ହିଁ ବିଶ୍ବ ପରଂପରା
ଚଳୁଛି ଏ ପୃଥିବୀ ସାରା
କବି ଲେଖକ ଆତ୍ମହରା
ସର୍ବଦା ପରା ଅପାସୋରା
Comments are closed.