ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏବେ ବି ଖଂଡା, ଗଦା ଧରି
କେହି ପାରେନି ଯୁଦ୍ଧ କରି
କେବଳ ମଂଚ ଅଭିନେତା
ମାନଂତି ପୂର୍ବ ରୀତି, ପ୍ରଥା
ଏବେ ଆମ ଲେଖକ, କବି
ବିଶ୍ବକୁ ରଂଗମଂଚ ଭାବି
କରଂତି ଯେଣୁ ଅଭିନୟ
ହେଉନି ନୂଆ ଜ୍ଞାନୋଦୟ
ବାସ୍ତବ ଭାଷାର ସ୍ବରୂପ
ପାଉଛି ଧୀରେ ଧୀରେ ଲୋପ
ଦେବେ ବି ଭାଷାପ୍ରେମୀ ଜନ
ସେଆଡ଼େ ବଳାଂତିନି ମନ
କେଉଁଠି ସ୍ବୟଂକ୍ରିୟ ଭାଷା
ନ ଥାଏ, ତେଣୁ ଏ ଦୁର୍ଦଶା
କ୍ରମଶଃ ଯାଉଅଛି ବଢ଼ି
ଭାଷା ରହିଛି ତଳେ ପଡ଼ି
ଲୋଡ଼ୁଛି ସ୍ବଜନ ସଂପୃକ୍ତି
କରିବ ବୋଲି ଅଗ୍ରଗତି
ଆମେ ସଭିଏଁ ଉଦାସୀନ
ଦେଉନୁ ତାହା ପ୍ରତି ଧ୍ୟାନ
ଏବେ ତ ଅଦ୍ଭୁତ ଅବସ୍ଥା
କେହି ଶୁଣେନି କାହା କଥା
ଚଳୁଛି ବୃଥା ଯୁକ୍ତିତର୍କ
ଭାଂଗୁଛି ମଧୁର ସଂପର୍କ
ସାମାନ୍ୟ ଚେଷ୍ଟା କଲେ ବ୍ୟକ୍ତି
ଭାଷାକୁ ମିଳିଥାଏ ଶକ୍ତି
ଲେଖିଲେ କଥା ଦୁଇ ଧାଡ଼ି
ଭାଷା ପାରିବ ନିଶ୍ଚେ ବଢ଼ି
Comments are closed.