ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୂଲ୍ୟ ନ ନେଇ ସେବା କଲେ
ଅବଶ୍ଯ କର୍ମଫଳ ମିଳେ
ସେହି ଫଳର ନାମ ତୃପ୍ତି
ଅର୍ଜଇ ସେବାକାରୀ ବ୍ୟକ୍ତି
ଅନେକ ସେବାଦାୟୀ ସଂସ୍ଥା
କଲେଣି ଯେପରି ବ୍ୟବସ୍ଥା
ତହିଁରୁ ସେବା ପ୍ରତି ଆସ୍ଥା
ପ୍ରଘଟ କରେନି ଜନତା
ସେବା ହେବାରୁ ବ୍ୟବସାୟ
ସେବକ ହେବା ପାଇଁ ବ୍ୟୟ
କରଂତି ଯେଣୁ ଧନୀ ଜନ
କମୁଛି ସେବାର ସମ୍ମାନ
ଭାଷା, ସାହିତ୍ୟ ହେଲେ ପେସା
କେବଳ ହୁଏ ପେଟପୋଷା
ସଂଚାର ନ କରିଲେ ଆଶା
ବଢ଼େନି ଲୋକଂକ ଭରସା
ଏବେ ଅନେକ ଭାଷାତ୍ୟାଗୀ
ଭିନ୍ନ ଭାଷାର ହିତ ଲାଗି
କରଂତି ଖୁବ୍ ପରିଶ୍ରମ
ମନରୁ ହଟେନାହିଁ ଭ୍ରମ
ସାମାନ୍ୟ ଧନଲାଭ ପାଇଁ
ଯେ ନିଜ ଭାଷା ଛାଡ଼ିଦେଇ
ବୋଲାଂତି ଭାଷାର ସେବକ
ତାଂକ ବିବେକ ହୁଏ ମୂକ
ଅନେକ ଶିକ୍ଷାପ୍ରାପ୍ତ ଲୋକ
ଅନ୍ୟାନ୍ୟ ଭାଷାର ସ୍ତାବକ
ରୂପେ ହେଲେ ହେଁ ସୁବିଖ୍ୟାତ
ହୁଏନି ସ୍ବଭାଷାର ହିତ
ଏପରି ବ୍ୟକ୍ତି ସ୍ବାଧୀନତା
ଲୋପ କଲେ ସ୍ବଭାଷା ସତ୍ତା
ହୁଅଂତିନାହିଁ ବିଚଳିତ
ଏମିତି ତାଂକ ମନ, ଚିତ୍ତ
ମାଆଠାରୁ ଯେ ଭାଷା ଶିଖି
ପାରେନି ପଢ଼ି କିଂବା ଲେଖି
ତାହାର ସ୍ବଭାଷା ସରାଗ
ଅଯଥା ହୁଏ ବହୁ ଭାଗ
ଭାଷା ସକାଶେ ଆନୁଗତ୍ୟ
ଯେ କରେନାହିଁ ପ୍ରକାଶିତ
ତାହାର ପାରିବା-ପଣିଆ
ଦେଖୁଛି ସମଗ୍ର ଦୁନିଆ
‘ ସବୁ ଥାଇ ବି କିଛି ନାହିଁ ‘
ଭାବି ଯେ ସମୟ ବିତାଇ
ଏହି ବିଶ୍ବରେ ରହିଥାଏ
କେବଳ ଅନୁଗ୍ରହ ଚାହେଁ
Comments are closed.