ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚିଂତା କରିବା ପାଇଁ କଷ୍ଟ
ନ କଲେ କାମ ହୁଏ ନଷ୍ଟ
ମନୁଷ୍ୟ ଚିଂତାକାରୀ ଜୀବ
କିପାଇଁ ଚିଂତା ନ କରିବ ?
ପୂର୍ବଲିଖିତ ପଦାବଳି
ସ୍ମରଣ କରି, ଗଲେ ଚଳି
ହୁଏନି ନୂଆ ଜ୍ଞାନୋଦୟ
ଘଟେ ଭାଷାର ଅବକ୍ଷୟ
ପରିବର୍ତିତ ପରିସ୍ଥିତି
ଆଡ଼କୁ ନ ଯାଏ ଯା’ ମତି
ସେ କରେ ସ୍ମୃତି ଉଚ୍ଚାରଣ
ତାହାକୁ କହେ ଶୁଦ୍ଧ ଜ୍ଞାନ
ସକ୍ରିୟ ସାଧକର ମନ
ଜ୍ଞାନ ବି କରେ ଉତ୍ପାଦନ
ଏହି ତତ୍ତ୍ବକୁ ଦେଲେ ଧ୍ୟାନ
ବଢ଼ଇ ଭାଷାର ସମ୍ମାନ
ଦଶଟି ବହିରୁ ଉତ୍ତାରି
ଯେ ପାରେ ସଂକଳନ କରି
ସିଏ ବୋଲାଏ ମହାଜ୍ଞାନୀ
ଘଟେ ଚିଂତାର ମାନହାନି
କେବଳ ତତ୍କାଳ ପ୍ରଶଂସା
ପାଇବା ପାଇଁ କଲେ ଆଶା
ହୁଏନି ଜ୍ଞାନର ବିକାଶ
ସ୍ବଭାବ ପାଏନି ପ୍ରକାଶ
ଏ ସବୁ ଜଣା ଥିଲେ ସୁଦ୍ଧା
କେ ଜାଣେ କେଉଁ ଅସୁବିଧା
ଯୋଗୁଁ ଆମର ଏହି ଭାଷା
ଭୋଗୁଛି ଅଯଥା ଦୁର୍ଦଶା
ବ୍ୟକ୍ତିର ଭାଷା ଅନୁରକ୍ତି
ବଳେ ଉନ୍ନତ ହୁଏ ଜାତି
ଏହାକୁ ନ ମାନିଲେ ମତି
ହୁଏ କେବଳ ହାନି, କ୍ଷତି
ତେବେ ବି ଏଠି ଜ୍ଞାନୀଗଣ
ପ୍ରାୟତଃ ରହଂତି ମଉନ
ନ ପାଇ ତାଂକ ଅବଦାନ
ଭାଷା ହୋଇଯାଉଛି ନ୍ୟୂନ
Comments are closed.