ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶବ୍ଦ ହେଲେ ହେଁ ସୂତ୍ରାଧୀନ
ବାକ୍ୟର ଯେତେ ପଦମାନ
ଯେହେତୁ ସଦା ପ୍ରଥାଧୀନ
ମତ ନିମଂତେ ନାହିଁ ସ୍ଥାନ
ପ୍ରତି ଭାଷାର ବ୍ୟାକରଣ
କରଂତି ଅବସ୍ଥା ବର୍ଣନ
ନୁହଂତି ନିୟମ, ବିଧାନ
ଅଥବା ଭାଷା ସଂବିଧାନ
ଭାଷାର ବ୍ୟାକରଣକାର
ଲେଖଂତି ଆପଣା ବିଚାର
ସବୁ ମତର ସମାହାର
ରଚିତ ହୋଇନି କାହାର
କାଳ ଓ ସ୍ଥଳ ଅନୁଯାୟୀ
ଭାଷାଟେ ଭିନ୍ନ ଭିନ୍ନ ହୋଇ
ସମାଜେ ହୁଏ ପ୍ରଚଳିତ
ଏହା ହିଁ ଅଟେ ମୂଳ ସତ୍ୟ
ପରସ୍ପରକୁ ଶୁଣି, ବୁଝି
ଲୋକେ ଯଦି ହୁଅଂତି ରାଜି
ପାଇଲେ ଲୋକ ସମର୍ଥନ
ଭାଷାଟେ ଚଳେ ବହୁ ଦିନ
କେବଳ ଶବ୍ଦସାମ୍ୟ ଦେଖି
କେହି ବି କହିପାରିବ କି
ଦୁଇଟି ଭାଷାର ଭିନ୍ନତା
ଅଟଇ ମନଗଢ଼ା କଥା ?
ପଦ ଓ ବାକ୍ୟ ବିଶ୍ଳେଷଣ
କଲେ ହିଁ ମିଳେ ବ୍ୟାକରଣ
ଏହି ତତ୍ତ୍ବକୁ ଦେଲେ ଧ୍ୟାନ
ଅନାବଶ୍ୟକ ଭାଷା-ରଣ
ନିଜ ଭାଷାକୁ ଭାବି ଶ୍ରେଷ୍ଠ
ଅନ୍ୟର ଭାଷାକୁ ନିକୃଷ୍ଟ
ବୋଲି କହିବା ଅଧିକାର
ବିଶ୍ବରେ ନ ଥାଏ କାହାର
ପ୍ରତ୍ୟେକ ଭାଷାକୁ ସମ୍ମାନ
ଦେଇଚାଲିଲେ ଜନଗଣ
ସଂଭବ ସମୂହ ଉତ୍ଥାନ
ଭାଷା ନୁହେ ବଡ଼ କି ସାନ
Comments are closed.