ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲିଖିତ ଭାଷାରେ ବନାନ
କରଇ ଗୁରୁତ୍ବ ବହନ
ନ ଦେଲେ ତାହା ପ୍ରତି ଧ୍ୟାନ
ଲିଖନ ହୁଏ ତ୍ରୁଟିପୂର୍ଣ
ଭାଷାରେ ଶବ୍ଦାବଳି ରୂପ
ହୋଇଲେ ସୂତ୍ର ଅନୁରୂପ
ଭାଷାର ଦ୍ରୁତ ପ୍ରସାରଣ
ହୁଅଇ ସତରେ ନିର୍ବିଘ୍ନ
ମାତ୍ରା, ଫଳା, ଅକ୍ଷର ବୋଧ
ବଳିଷ୍ଠ ହୋଇଲେ ପ୍ରମାଦ
ପ୍ରାୟତଃ ଦେଖାଯାଏନାହିଁ
ଭାଷା ବି ଆଦୃତ ହୁଅଇ
ଶ-ଷ-ସ, ଜ-ଯ ବର୍ଣ ଭେଦ
ବୁଝିଲେ ଭାଷାକୁ ବିପଦ
କେବେ ବି ପାରେନାହିଁ ଛୁଇଁ
ନିର୍ଝର ପରି ଯାଏ ବହି
ବିଦ୍ୟାଳୟରୁ ଏହି ଶିକ୍ଷା
ମିଳିଲେ ବିଭିନ୍ନ ପରୀକ୍ଷା
ଦେବାକୁ ବିଦ୍ୟାର୍ଥୀ ଆଗ୍ରହୀ
ଆନଂଦ ମନେ ପାରେ ହୋଇ
ଲେଖିବା ପାଇଁ ଯଦି ଡର
ମନରେ କରିଥାଏ ଘର
ଛାତ୍ର ତ ଲିଖନକାତର
ହୁଅଇ ସତେ ନିରଂତର
ଶବ୍ଦର ରୂପ କଲେ ସ୍ଥିର
ସହଜେ ଭାଷାର ପ୍ରସାର
ଆପେ ଆପେ ହିଁ ପାରେ ଘଟି
ହୁଏନି ଅବାଂଛିତ ତ୍ରୁଟି
କଥିତ ଭାଷାର ପରିଧି
ମାନେନି ନିୟମ ଓ ବିଧି
କିଂତୁ ଶୃଂଖଳାବଂଧା ଲେଖା
ଟେକଇ ଭାଷାର ପତାକା
Comments are closed.