ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମନୁଷ୍ଯ ନୁହେ ସର୍ବଜ୍ଞାନୀ
ତେଣୁ ଜ୍ଞାନାଂଶ ନେଇ ମାନି
କରଇ ଜୀବନ ଯାପନ
ନୁହଇ କେବେ ବି ସଂପୂର୍ଣ
ଅଲଭ୍ୟ ଅଟେ ସଂପୂର୍ଣତା
ବୁଝିପାରିଲେ ଏହି କଥା
ବ୍ୟକ୍ତି ନ ହୋଇ ବିଚଳିତ
ସର୍ବଦା ରହେ କାର୍ଯରତ
ନିଜ ଭାଗର କାମ କରି
ସୁଦ୍ଧା ଯେ ହୁଏ ହିତକାରୀ
ତାହାର ମନର ସ୍ବଚ୍ଛତା
ବଳେ ସେ ପାଏ ନିରାପତ୍ତା
ପୂରା ଭାଷାରେ ଅଧିକାର
ଯେହେତୁ ନ ଥାଏ କାହାର
ଭାଷାଂଶ କରି ବ୍ୟବହାର
ଚଳାଏ ଘର ଓ ସଂସାର
ଯାହାର ଯେତେ ପ୍ରୟୋଜନ
ସେ କରି ସେତିକି ଅର୍ଜନ
ଚଳାଏ ଭାବ ଦେଣ ନେଣ
ଏହା ହିଁ ସ୍ବଭାଷାର ଗୁଣ
ଅଜ୍ଞାନ ସହିତ ସୁଜ୍ଞାନୀ
ପରସ୍ପରର କଥା ଶୁଣି
କରଂତି ଭାବ ବିନିମୟ
ନ ଥାଏ କାହା ମନେ ଭୟ
ଅଥଚ ସାମାନ୍ୟାଂଶ ଜାଣି
ଯେ କରେ ଜ୍ଞାନ ପ୍ରଦର୍ଶନୀ
କେବଳ ପ୍ରଶଂସା ଲାଳସା
ପଡ଼େନି ଭାଷାକୁ ସୁଦଶା
ଚଳିତ କାଳ ସହ ଲାଖି
ଯିଏ ବି ପାରେନାହିଁ ଲେଖି
ତାହାର ଅତୀତ ଆସକ୍ତି
କରଇ ସ୍ବଭାଷାର କ୍ଷତି
ନିଜ କଳ୍ପିତ ଭାବମୂର୍ତି
ଗଠନ କରିବାରେ ମାତି
ଯିଏ ବି ସାରଇ ସମୟ
ତା ମନେ ରହିଥାଏ ଭୟ
Comments are closed.