ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଋଷି, ତପସ୍ବୀଂକର ଦେଶ
କେଉଁଠୁ ପାଇ ଏତେ ରୋଷ
କରିଚାଲିଛି ଆତ୍ମନାଶ
ସହିତ ସମୂହ ବିନାଶ
ବ୍ୟକ୍ତିର ପଦେ କଥା ଶୁଣି
ତାକୁ ଚଂଚଳ ଦେଲେ ହାଣି
ସରେନି ହିଂସାର କାହାଣୀ
ଅବୋଧ୍ୟ କାହିଁକି କେଜାଣି
ମତ ଲେଖିବା ପାଇଁ ବ୍ୟଗ୍ର
ହୋଇ ଯେ ଲେଖେ ଅତି ଶୀଘ୍ର
ତା’ର ଲେଖାର ପରିଣାମ
ହୁଏନି କେବେ ବି ଉତ୍ତମ
ଘଟନାବଳି ଯାଏ ଘଟି
ସେ ସବୁ ଦେଖି କଲେ ପାଟି
ସୃଷ୍ଟି ହୁଅଇ ବିଶୃଂଖଳା
ଚିତ୍କାର କରି ଶୁଖେ ଗଳା
ଶବ୍ଦ ହୋଇଲେ ମାରଣାସ୍ତ୍ର
ଲୋକେ ପାସୋରି ସବୁ ଶାସ୍ତ୍ର
ଦେଖାଂତି ତୀକ୍ଷ୍ଣାସ୍ତ୍ରର ଶକ୍ତି
ନ ରଖି ଜୀବନେ ଆସକ୍ତି
ଯେତେ ହୁଅଂତି ମୃତାହତ
କେହି ତ ତାଂକର ସହିତ
କରି ନ ଥାଂତି କେବେ କଳି
ମାରି ପାରଂତି କେଉଁ ଭଳି ?
ଆପତ୍ତିକାରୀ ହେଲେ ସାକ୍ଷୀ
ହୋଇ ପାରେନି ନ୍ୟାୟ ରକ୍ଷୀ
କେବଳ ଦେଇପାରେ ଶାସ୍ତି
ଏହା ତ ମନର ବିକୃତି
ଏପରି ମନୋଭାବ ଧରି
ଲୋକେ ହୁଅଂତି ହତ୍ୟାକାରୀ
ସଭିଏଁ ପାରିଲେ ହେଁ ଜାଣି
ନିଷ୍କ୍ରିୟ ସବୁ ଦେଖି, ଶୁଣି
ଭାବି, ଚିଂତି କହିଲେ କଥା
ରହିବନାହିଁ ଅସ୍ଥିରତା
ଭାଷା ସ୍ରୋତରେ ଯାଇ ଭାସି
କାହିଁକି ହେବା ଆତ୍ମନାଶୀ ?
Comments are closed.