Latest Odisha News

ଭାଷା ଭାଗବତ : ଜ୍ଞାନ ବିତରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

କଥିତ ଭାଷା ଜଳ ଧାର
ଲିଖିତ ଭାଷା ଜଳାଧାର
କଥାର ସୁଅ ଯାଏବହି
ଲେଖା ଅଟକେ ଲିପି ହୋଇ

କଥା ବଦଳେ ବାରଂବାର
ପୃଷ୍ଠାରେ ଲେଖା ରହି ସ୍ଥିର
ବହିକୁ କରେ ନିଜ ଘର
ସଭ୍ୟତା ପୁସ୍ତକ ନିର୍ଭର

କଥିତ ଭାଷା ଯାଏ ଉଡ଼ି
ଲିଖିତ ଭାଷା ଧାଡ଼ି ଧାଡ଼ି
ହୋଇ ଦଖଲ କରେ ପୃଷ୍ଠା
ସୂଚାଏ ଭାଷୀଂକର ନିଷ୍ଠା

ଭାଷା ହୋଇଲେ ଜ୍ଞାନାଧାର
କରେ ଅନେକ ଉପକାର
ବଢ଼ାଏ ଭାଷୀଂକ ବିଶ୍ବାସ
ହୁଏନି ଜ୍ଞାନର ବିନାଶ

ଜ୍ଞାନ-ସମୃଦ୍ଧ ହେଲେ ଭାଷା
ବଢ଼ଇ ଲୋକଂକ ଭରସା
ବହିରୁ ପାଇ ବହୁ ଜ୍ଞାନ
ଲୋକେ କରଂତି ପୁଣି ଦାନ

ଏପରି ପାଇ ଆଉ ଦେଇ
ଲୋକେ ହୁଅଂତି ଜ୍ଞାନାଗ୍ରହୀ
କରିଲେ ଜ୍ଞାନ ବିତରଣ
ବଢ଼ଇ ଭାଷାର ସମ୍ମାନ

ଭାଷା ଓ ଜ୍ଞାନର ସଂପର୍କ
ବୁଝିଲେ ସାଧାରଣ ଲୋକ
କରଂତିନାହିଁ ବୃଥା ତର୍କ
ଦେଖିପାରଂତି ଜ୍ଞାନାଲୋକ

ଲିଖିତ ଭାଷାର ପ୍ରସାର
ଘଟିଲେ ଭାଷା ବ୍ୟବହାର
ଭାଷୀଏ ହୋଇ ବହୁମୁଖୀ
ହୁଅଂତି ଆପେ ଆପେ ସୁଖୀ

Comments are closed.