ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଜଣା ଶବ୍ଦ ବ୍ୟବହାର
ହୁଏତ ଶୁଭେ ଚମତ୍କାର
ନ କଲେ ଭାବନା ସଂଚାର
ଅଥବା ଜ୍ଞାନର ପ୍ରସାର
ବୃଥା ଶାବ୍ଦିକ ଆଡ଼ଂବର
କଲେ ହେଁ ଭାବନା ସଂହାର
ଚେତନା ଜାଗୁନି ଆମର
କ’ଣ କରିବା ଦରକାର
ଭାଷା ତ କେବଳ ମାଧ୍ୟମ
କୁତ୍ସିତ ଅବା ମନୋରମ
ହେଲେ ଭାବପ୍ରକାଶକ୍ଷମ
ବୋଲାଇଥାଏ ସର୍ବୋତ୍ତମ
ଲେଖକେ ଆତ୍ମତୁଷ୍ଟି ପାଇଁ
ଯାହା ଜଣାଂତି ଲେଖି, କହି
ତହିଁରେ ରହିଲେ ଭାବାର୍ଥ
ଭାଷାଟେ ହୁଅଇ ସମର୍ଥ
କେବଳ ଖ୍ୟାତି ପ୍ରାପ୍ତି ପାଇଁ
ଯେ ଜଣେ ଲେଖକ ହୁଅଇ
ତାହାର ଲେଖା ଆଉ କଥା
ସୃଷ୍ଟି କରଇ ମନେ ବ୍ୟଥା
କରୁଛୁଁ ପୂର୍ବକୀର୍ତି ଗାନ
ଅଥଚ ନିଜ ଅବଦାନ
ଗଣିଲେ ଦେଖାଯାଏ ଶୂନ୍ଯ
ଏହା କିପରି ସ୍ବାଭିମାନ ?
ପରୋକ୍ଷ ଗୌରବାଧିକାରୀ
ହେବାର ଗର୍ବ ମନେ ଧରି
ହୋଇଛୁଁ ଏବେ କର୍ମକୁଂଠ
ନିଜକୁ ନିଜେ କରୁଁ ନଷ୍ଟ
ଚଳିତ କାଳର ଅବସ୍ଥା
ପ୍ରତି ନ ଥିଲେ ମନେ ବ୍ୟଥା
ସ୍ମୃତିଚାରଣ ସାରେ କାଳ
ଏହା କି ସତରେ ସାଫଲ୍ୟ ?
ପ୍ରଶ୍ନ ଉଠୁଛି ବାରଂବାର
ମିଳୁନି ଯଥାର୍ଥ ଉତ୍ତର
ହେବାକୁ ବର୍ତମାନାଶ୍ରୟୀ
ଆମେ ତ ହେଉନୁ ଆଗ୍ରହୀ
ସ୍ବପ୍ନରେ କରି ବସବାସ
ପାଉଛୁଁ ଅପୂର୍ବ ଉଲ୍ଲାସ
ତେଣୁ ଏ ଭାଷାର ବିକାଶ
ବଦଳେ ହେଉଛି ବିନାଶ
Comments are closed.