ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୧
ବହୁ ଭାଷାର ଶବ୍ଦ ଆସି
ଏହି ଭାଷାରେ ଯାଇ ମିଶି
ଏବେ ତ ହେଲେଣି ଆମର
ଉତ୍ସ ନ ପଚାରୁଁ କାହାର
ଶବ୍ଦ ଉପରେ ଅଧିକାର
ସମାନ ଯେଣୁ ସଭିଂକର
କରଂତି ଲୋକେ ବ୍ୟବହାର
ସତେ କି ଏକାଂତ ନିଜର
ଶବ୍ଦଟେ ହୋଇଲେ ଗୃହୀତ
ତା ହୁଏ ସମୂହର ବିତ୍ତ
ଶବ୍ଦର ଉତ୍ପତ୍ତି ବୃତ୍ତାଂତ
ଶୁଣାଂତି କେବଳ ପଂଡିତ
ସ୍ମୃତିକୁ କହୁଥିଲେ ଜ୍ଞାନ
ସେହି ଘଷରା ବାକ୍ୟମାନ
କରଂତି ମିଛେ ଉଚ୍ଚାରଣ
ବଢ଼େନି ଭାଷାର ସମ୍ମାନ
ଜ୍ଞାନ ଯେହେତୁ ନୁହେ ସ୍ଥିର
ପରିବର୍ତନ ବାରଂବାର
ଘଟିବା ଅଟେ ସ୍ବାଭାବିକ
ବୁଝଂତି ଭାଷାଭାଷୀ ଲୋକ
କାଳ ସ୍ଥଳ ଓ ପାତ୍ର ଜାଣି
ଭାଷାର ପ୍ରୟୋଗ କାହାଣୀ
ସର୍ବଦା କୁହାଳି ଆଶ୍ରିତ
କରିଚାଲିଛି ସର୍ବହିତ
ଯାହାର ଯେତେ ପ୍ରୟୋଜନ
ସେ କରେ ସେତେ ଆହରଣ
ବୁଝେନି ନିଜର କି ପର
ବିଶ୍ବର ସବୁ ଶବ୍ଦ ତାର
ଜ୍ଞାନାଶ୍ରିତ କି କାନାଶ୍ରିତ
ଯାହା ହେଲେ ବି ଭାଷାଶ୍ରିତ
ହୋଇ ସେ କହେ ଆଉ ଲେଖେ
ଏ ସତ୍ୟ ବୁଝିବା ପ୍ରତ୍ୟେକେ
Comments are closed.