Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟ ସଂଧାନୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ନ କରି ତଥ୍ୟ ବିଶ୍ଳେଷଣ
କରିଲେ ସ୍ବମତ ପ୍ରଦାନ
ସତ୍ୟକୁ ମିଳେ ଅପମାନ
ଅସାର ହୁଅଇ ବଚନ

ସତ୍ୟକୁ ରଖିଲେ ଗୋପନ
ମିଳେନି କେବେ ସମାଧାନ
ସମସ୍ୟା ହେଲେ ହେଁ ଉତ୍କଟ
ନ ମିଳେ ସମାଧାନ ବାଟ

ଅଳପ କିଛି ଦେଖି, ଶୁଣି
କଳ୍ପନାଜାତ ମିଛ ବୁଣି
କହିଲେ ମଧୁର କାହାଣୀ
ଘଟେ ସତ୍ୟର ପ୍ରାଣହାନି

ହେବା ନିମଂତେ ସତ୍ୟାସୀନ
ଲୋଡ଼ା ନିଡର ଏକ ମନ
ସତ୍ୟବ୍ରତର ମୃତ୍ୟୁ ପରେ
ସତ୍ୟ ପ୍ରତିଷ୍ଠା ପାଇପାରେ

ସତ୍ୟ ହୋଇଲେ ପରିପକ୍ୱ
ସ୍ବଭାବେ ଗଭୀର ବ୍ୟାପକ
ଲୋକଂକ ମନେ ପାଏ ସ୍ଥାନ
ତାହା ବି ନୁହେ ପରିପୂର୍ଣ

ଯେଉଁ ଭାଷା ମଣିଷ କହି
ସମାଜେ ସୁଖେ ଥାଏ ରହି
ସେହି ଭାଷାକୁ ଦେଲେ ଛାଡ଼ି
ପାରେନି ବଂଚି ଆଉ ବଢ଼ି

ସାହିତ୍ୟ ଜ୍ଞାନ ପ୍ରଦର୍ଶନ
କରିଚାଲିଲେ କବିଗଣ
ପାଠକ ହୁଏ ଚମତ୍କୃତ
କିଂତୁ ଭାଷାଟେ ହୁଏ ମୃତ

ଶବ୍ଦକୋଷରୁ ଶବ୍ଦ ଆଣି
ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି
ନ ହୁଏ ଭାବ ସଂଚାରଣ
ଘଟଇ ଭାଷାର ମରଣ

ବାସ୍ତବ ଭାଷା ବ୍ୟବହାର
କଲେ ସଭିଏଁ ଉପକାର
ପାଆଂତି ତତ୍କାଳ ନିଶ୍ଚିତ
ଭାଷା ବି ହୁଅଇ ଉନ୍ନତ

Comments are closed.