ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
‘ ଫେରିପାଇଲେ ପୂର୍ବାବସ୍ଥା
ଘଟିବନାହିଁ ଦୁରବସ୍ଥା ‘
ଏପରି ଭାବନା ଓ ଚିଂତା
ବଢ଼ାଇଥାଏ ଅସ୍ଥିରତା
ଶୈଶବ ଯିବା ପରେ ବିତି
ଯୌବନେ ତା ପ୍ରତି ଆସକ୍ତି
ମନରେ ପୋଷେ ଯଦି ବ୍ୟକ୍ତି
ବୁଢ଼ା ହୋଇଲେ ସହେ କ୍ଷତି
ପରିବର୍ତିତ ଘନଘନ
ହେଲେ ହେଁ ମଣିଷର ମନ
ଅସ୍ବୀକାର କରିଲେ ଯାହା
ହୁଏ, ହେଉଛି ଏଠି ତାହା
ପତ୍ର ହୋଇଲେ ବୃକ୍ଷଚ୍ୟୁତ
ଯୋଡ଼ି ନ ହୁଏ ତା ସହିତ
ଏହା ତ ଅଟେ ପ୍ରାକୃତିକ
ମାନଂତିନାହିଁ ବହୁ ଲୋକ
ଯାହା ଥିଲା, ଯଦିଚ ନାହିଁ
ଏଥିରେ ବିଚଳିତ ହୋଇ
ଦୁଃଖ ଭୋଗୁଛୁଁ କାହିଁ ପାଇଁ ?
ଉତ୍ତର ଜମା ମିଳୁନାହିଁ
ଭାଷାର ବୃଦ୍ଧି ଆଉ କ୍ଷୟ
ସର୍ବଦା ଘଟୁଛି ଉଭୟ
ତେବେ ବି ପ୍ରାଚୀନତା ପ୍ରୀତି
କବଳୁ ମିଳୁନାହିଁ ମୁକ୍ତି
ଚଳିତ କାଳର ସ୍ବଭାଷା
ଜାଗତ କରୁନି ଭରସା
ତେଣୁ ହୋଇ ଅତୀତମୁଖୀ
ଲେଖକେ ହେଉଥାଂତି ସୁଖୀ
ବିଦ୍ୟାଳୟରେ ପଢ଼ା ବହି
ଛାତ୍ର ପାଖରେ ଥାଏ ରହି
ତାହାକୁ ବାରଂବାର ଘୋଷି
ସେ ମଧ୍ୟ ହେଉଥାଏ ଖୁସି
ପ୍ରତ୍ୟେକ ପ୍ରଶ୍ନର ଉତ୍ତର
ପୂର୍ବରୁ କରିଦେଲେ ସ୍ଥିର
ବ୍ୟକ୍ତିର ଉଦ୍ଭାବନୀ ଶକ୍ତି
ଅକାଳେ ଲଭଇ ବିଲୁପ୍ତି
ସ୍ମୃତି ସହିତ ବିବେଚନା
ମିଶାଇ କେହି ବାଟବଣା
କେଉଁଠି ହୋଇନାହିଁ କେବେ
ଏ ସତ୍ୟ ବୁଝୁଁ ଆମେ ଏବେ
Comments are closed.