ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୨
ଶିଶୁ ଯାହା ବି ଶୁଣେ କାନେ
ସବୁ ସାଇତି ରଖେ ମନେ
ପାଟିରେ କହେ ଶବ୍ଦମାନ
ଆପେ ବଢ଼ାଏ ଭାଷାଜ୍ଞାନ
ଏପରି ଶିକ୍ଷା ସ୍ବାଭାବିକ
ବୁଝଂତି ଅପାଠୁଆ ଲୋକ
ଅଥଚ ସୁଜ୍ଞାନୀ ପଂଡିତ
ସର୍ବଦା ଶିଖାଂତି ସଂସ୍କୃତ
ଭାଷାକୁ କରିଦେଲେ ପେଶା
ନିଶ୍ଚୟ ପଡ଼ଇ ଦୁର୍ଦଶା
ଲୋକଂକୁ ମିଳେ ଅର୍ଥକଷ୍ଟ
ପଂଡିତେ ପୋଷୁଥାଂତି ପେଟ
ଶିଶୁ ଯାହା ବି କହୁ ଶୁଣୁ
ପ୍ରଥମେ ତାହା ଲେଖିଜାଣୁ
‘ ବାପା ମାଆ ଓ ଅଜା ଘର’
ହାତରେ ଲେଖୁ ଏ ଅକ୍ଷର
‘ ଅଆଇ ଈଉଊ ‘ ଲିଖନ
କରିଲେ ସୁଦ୍ଧା ଶିଶୁମନ
ନ କରି ଶବ୍ଦଟେ ଗଠନ
ଅଯଥା ହୁଏ ହଇରାଣ
ଯେଉଁ ପ୍ରଥା ପାଳନ କରି
ସଭିଏଁ ହୋଇଛୁଁ ଏପରି
ତହିଁରେ ଲୋଡ଼ା ସଂଶୋଧନ
ଏହି ଆଡ଼କୁ ନେଉଁ ଧ୍ୟାନ
ପ୍ରଥମେ ଚିହ୍ନା ଶବ୍ଦ ଲେଖି
ଶିଶୁ ପାରିବ ବର୍ଣ ଶିଖି
ଘୋଷିଲେ ପୂରା ବର୍ଣମାଳା
ବାକ୍ୟଟେ ଲେଖି ନ ପାରିଲା
ଅଫଳଦାୟୀ ଶିକ୍ଷାଦାନ
ଯୋଗୁଁ ତ ଭାଷା ଶ୍ରୀବର୍ଧନ
ଏଯାଏଁ ହୋଇ ପାରିନାହିଁ
ବଦଳି ନ ଯିବା କିପାଇଁ
ଶିଶୁ ଭାଷାର ଅଗ୍ରଦୂତ
ହେଲେ ହିଁ ସ୍ବଭାଷା ଉନ୍ନତ
ହୋଇ କରିବ ଅଗ୍ରଗତି
ଟିକେ ବି ହେବନାହିଁ କ୍ଷତି
ଶିଶୁଶିକ୍ଷାକୁ ଅନାଦର
କରି ଏ ଅବସ୍ଥା ଆମର
ଲୋଡ଼ୁଛି ଆମୂଳ ସଂସ୍କାର
ହେବ ସମୂହ ଉପକାର
ଯାହା ବି ହେଉ ଶିଶୁ ଘର
ଭବନ ଅଥବା କୁଟୀର
ତାହା ହିଁ ଆଦ୍ୟ ଶିକ୍ଷାଳୟ
ଭାଷା ଓ ସଂସ୍କୃତି ଆଳୟ
ପ୍ରଥମେ କୁଟୁଂବ ବଳୟ
ଶିଶୁ ମନରୁ ତଡ଼ୁ ଭୟ
ଭାବକୁ କରିଦେଉ ଭାଷା
ବଢ଼ାଉ ଶିଶୁର ଭରସା
Comments are closed.