ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୩
ଶୈଶବେ ହେଲେ କୌତୂହଳୀ
ଜ୍ଞାନ ପ୍ରବେଶି ନାନା ଭଳି
କରି ଶିଶୁକୁ ଜ୍ଞାନବଂତ
ସର୍ବଦା ଥାଏ ତା ସହିତ
ଯୌବନ ମୁଖ୍ୟତଃ ଚଂଚଳ
ବଦଳୁଥାଏ ପ୍ରତି ପଳ
ଏକାଗ୍ର ହୁଏନାହିଁ ଧ୍ୟାନ
ସ୍ଥିର ହୁଏନି ଯୁବାମନ
ସାଧକ ନିମଂତେ ବାର୍ଧକ୍ୟ
କେବେ ବି ନ ହୁଏ ବାଧକ
ହୋଇ ଅଧିକ ସଚେତନ
କାର୍ଯ କରଂତି ବୃଦ୍ଧଗଣ
ଏ ତିନି ଅବସ୍ଥା ସରିଲେ
ବ୍ୟକ୍ତିଟେ ପ୍ରୌଢ଼ ହୋଇଗଲେ
ଦୃଢ଼ ହୁଅଇ ତା ସଂକଳ୍ପ
ସେ କାମ କରେ ବାଛି ଅଳ୍ପ
ଅଳ୍ପ କାମରୁ ବେଶି ଫଳ
ପାଆଂତି ସମାଜେ ସକଳ
ତଥ୍ୟ, ସୂଚନା, ଜ୍ଞାନ ପରେ
ସେ ପ୍ରଜ୍ଞା ଆବିଷ୍କାର କରେ
ଭାଷାର ଥାଏ ବହୁ ସ୍ତର
ଜଡ଼ିତ ହୋଇ ପରସ୍ପର
କେଉଁଠି କେତେ ଦରକାର
ଲୋକେ କରଂତି ତାହା ସ୍ଥିର
ଏଠି ସୂକ୍ଷ୍ମ ତ ସେଠି ସ୍ଥୂଳ
ଏଠି ମୂଳ ତ ସେଠି ଡାଳ
ଭାଷାଟେ ହୋଇ ବହୁରୂପୀ
ସାରା ବିଶ୍ୱରେ ପାରେ ବ୍ୟାପି
ଭାଷାର ବ୍ୟକ୍ତିନିର୍ଭରତା
ଯୋଗୁଁ ନ ଥାଏ ସମାନତା
ଏଠି ସରଳ ସେଠି କ୍ଳିଷ୍ଟ
ତେବେ ବି ହୁଏନାହିଁ ନଷ୍ଟ
ସର୍ବେ ହୋଇଲେ ଏକା ଭଳି
ଭାଷାଟେ ପାରେନାହିଁ ଚଳି
ବ୍ୟକ୍ତିର ସର୍ଜନଶୀଳତା
ଭାଷାରେ ଭରେ ଗୁଣବତ୍ତା
ଶିଶୁର ଦରୋଟି ବଚନ
ବୃଦ୍ଧର ନୀତି ପ୍ରବଚନ
ଉଭୟ ପାଇଁ ଥାଏ ସ୍ଥାନ
ତାହା ହିଁ ଭାଷାର ଲକ୍ଷଣ
ପ୍ରାଚୀନ ଶବ୍ଦ ବିଲୋପନ
ନୂତନ ଶବ୍ଦର ଗଠନ
ପ୍ରକ୍ରିୟା ଅଟେ ସ୍ବାଭାବିକ
ବୁଝଂତି ଭାଷାଭାଷୀ ଲୋକ
ନୂତନ ଶବ୍ଦଟେ ଗଠିତ
ହୋଇ ସାରିଲେ ପ୍ରଚଳିତ
ଯଦି ବହୁତ୍ର ବ୍ୟାପିଯାଏ
ଶବ୍ଦକୋଷରେ ସ୍ଥାନ ପାଏ
ଭାଷାକୁ ସକ୍ରିୟ ଜୀବନ
ଦେଇଥାଆଂତି ଭାଷୀଗଣ
ସେମାନେ ହେଲେ ଉଦାସୀନ
ଭାଷାଟେ ହୁଅଇ ନିଶ୍ଚିହ୍ନ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.