Latest Odisha News

BREAKING NEWS

ଭାଷା ଭାଗବତ : ପିଲାଂକ ଲିପି ଶିଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୬

ଅକ୍ଷର ରୂପସାମ୍ୟ ବୁଝି
ଚଂଚଳ ଶିଖିବାକୁ ରାଜି
ହୋଇ ଲେଖିବା ବର୍ଣମାନ
ବଢ଼ିବ ଶିଶୁ ଲିପିଜ୍ଞାନ

ଠ ର ଉପରେ ଅଧା ବୃତ୍ତ
ଲେଖିଲେ ଚ ହୁଏ ଲିଖିତ
ଚ କୁ ଧରାଇଦେଲେ ବାଡ଼ି
ସହଜେ ଗ ହୁଅଇ କାଢ଼ି

ଚ ର ମଥାରେ ଖଂଜୁଁ ଚୁଟି
ଟ ବର୍ଣ ଉଠିବ ଉକୁଟି
ଗ ଅକ୍ଷରରେ ଦେଲେ ପୁଡ଼ା
ତାଲବ୍ଯ ଶ ହୁଅଇ ଗଢ଼ା

ଠ-ଜାତ ଏ ସବୁ ଅକ୍ଷର
ଚଛଟ ଖଝଗ ଶଥର
ପ୍ରଥମେ ପିଲା ଶିକ୍ଷା କରୁ
କାଗଜ ଉପରେ ଉତାରୁ

ଦେଖିବ ଶବ୍ଦର ସଂଭାର
ଖଟ ଚଟ ଓ ଖର ଚର
ଟଗର ଗଛ ଝର ଥର
ଏଥିରୁ ହୋଇବେ ବାହାର

ଠଚଛଟ ଖଝଗ ଶଥର
ଆ-କାର, ଇ-କାର, ଉ-କାର
ପ୍ରତ୍ୟେକଟିରେ ଯୋଗ କରୁ
ଚାଳିଶ ଅକ୍ଷର ବାହାରୁ

ଏହି ଚାଳିଶ ଅକ୍ଷରରୁ
ପିଲାଟି ନିଜର ସ୍ମୃତିରୁ
ଶବ୍ଦାବଳି ବାହାର କରୁ
ନିଜର ଖାତାରେ ଉତାରୁ

ଏତିକି ଆଗ ଶିକ୍ଷା କରି
ଲେଖିଲେ ଶବ୍ଦ ମନ ଭରି
ପୃଷ୍ଠାଗୁଡ଼ିକ ହେବେ ପୂର୍ଣ
ଭାଷା ହୋଇବ ଶ୍ରୀସଂପନ୍ନ

ଏପରି ଅକ୍ଷର ମୂଳ ଠ
ପିଲେ ବୁଝିବେ ଲିପିପାଠ
ସାରିଲେ ପ୍ରଥମ ସୋପାନ
ଶିଖିବେ ଅନ୍ୟ ବର୍ଣମାନ

Comments are closed, but trackbacks and pingbacks are open.