ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାଳ-ପ୍ରବାହ ଅବିରତ
ହେଲେଁ ନିତି ଅନୁଭୂତ
ଅତୀତ ଆଉ ଭବିଷ୍ଯତ
କରିଛୁଁ ମିଛେ ବିଭାଜିତ
ଆକାଶ, ସାଗର ଓ ଭୂଇଁ
ଥିଲେ ହେଁ ଯୋଡ଼ାଯୋଡ଼ି ହୋଇ
ମଣିଷ ଟାଣେ ସୀମାରେଖା
ପ୍ରମାଣ କରେ ଅଟେ ବୋକା
ବିଶ୍ବକୁ କରି ବହୁ ଭାଗ
ଭୋଗୁଛି ବିବିଧ ଦୁର୍ଯୋଗ
ତେବେ ବି ପଶୁନାହିଁ ଚେତା
ଏ ଅତି ଆଚଂବିତ କଥା
ମୂଢ଼ତାମିଶା ଯେତେ କାର୍ଯ
ହେଉଛି ସବୁଠି ସ୍ବୀକାର୍ଯ
ହେଲେ ହେଁ ଖୁବ୍ ପାଟିତୁଂଡ
କାହାକୁ ମିଳୁନାହିଁ ଦଂଡ
ମଂଥର ଗତିରେ ବିଚାର
କରଂତି ନ୍ୟାୟ ପେସାଦାର
କେଉଁଠି ନାହିଁ ବୁଝାମଣା
ସଭିଏଁ ଏବେ ବାଟବଣା
ଭାଷାରେ ପୂରାଇ ଭେଳିକି
ଦେଖାଉଥିବାରୁ ଚାଲାକି
ଘଟିପାରୁନି ସମନ୍ବୟ
ଏ ଚିଂତା କରୁଛି ଅଥୟ
ପାସୋରି ବିକାଶର ମଂତ୍ର
ଶାସକେ ଉଠାଇଲେ ଅସ୍ତ୍ର
ଦୁର୍ଲଭ ହୁଏ ଅନ୍ନ, ବସ୍ତ୍ର
ଦିଶୁଛି ସର୍ବଦା, ସର୍ବତ୍ର
ଅଛଂତି ଯେତେ ଶ୍ରମଜୀବୀ
ଏପରି କଥା ଭାବି ଭାବି
ପାଆଂତିନାହିଁ ସମାଧାନ
ତେଣୁ ରହଂତି ସଦା ମୌନ
ମଣିଷ ସର୍ବଶ୍ରେଷ୍ଠ ଜୀବ
କାଳକ୍ରମେ ଏମିତି ହେବ
କେହି କରି ନ ଥିଲେ ଚିଂତା
ତେଣୁ ତ ହେଲା ଏ ଅବସ୍ଥା
ପରସ୍ପରକୁ ଦୋଷାରୋପ
କରିଲେ ପୁଅ ଆଉ ବାପ
ତିଷ୍ଠେନି କାହାର ପ୍ରକୋପ
ପୂରା ବଂଶଟେ ହୁଏ ଲୋପ
Comments are closed.