Latest Odisha News

ଭାଷା ଭାଗବତ : ଲେଖକ ପ୍ରଥମ ପାଠକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଚାଉଳରୁ ନ ବାଛି ଗୋଡ଼ି
ଡେକ୍‌ଚିରେ ଦେଉଛୁଁ ଅଜାଡ଼ି
ଫୁଟାଇ, ଗାଳି ଓ ନିଗାଡ଼ି
ଥାଳିରେ ଦେଉଅଛୁଁ ବାଢ଼ି

ଖାଇବା ବେଳେ ଯଦି କେହି
ଭାତରୁ ଗୋଡ଼ିଟିଏ ପାଇ
କରିବ ସାମାନ୍ୟ ଆପତ୍ତି
ଭୋକିଲା ରହୁଥିବ ନିତି

ଲେଖିବା ପରେ ହିଁ ଲେଖକ
ନିଜର ପ୍ରଥମ ପାଠକ
ହୋଇ ଲେଖାକୁ ବାରଂବାର
ପଢ଼ିଲେ ଘଟିବ ସଂସ୍କାର

ତ୍ରୁଟି, ବିଚ୍ୟୁତି ଦେଲେ ଦେଖା
କରିବେ ସଂଶୋଧନ ଏକା
ତା’ପରେ ଛାଡ଼ିବେ ଗୋଷ୍ଠିକୁ
ନିଜର ନିର୍ମଳ ସୃଷ୍ଟିକୁ

ନିଜକୁ ନିଜେ ବି ନ ପଢ଼ି
ଲେଖିଲେ ଶହ ଶହ ଧାଡ଼ି
ତ୍ରୁଟି ରହିବା ସ୍ବାଭାବିକ
ବୁଝିବା ଭାଷାର ଲେଖକ

ଲେଖିବା ବେଳେ ହିଁ ସଂଯମ
ପାଳନ କଲେ ଅନୁପମ
ଲେଖକ ହୋଇବେ ଉତ୍ତମ
କରି ଯଥେଷ୍ଟ ପରିଶ୍ରମ

ଭାଷାରେ ନାହିଁ କିଛି ଖୁଣ
କିଂତୁ ଆମ ଲେଖକଗଣ
ନ ହୋଇ ଲିପି ସଚେତନ
କରିଲେ ଅଜସ୍ର ଲିଖନ

ବଢ଼ିବ ବହିର ଓଜନ
ହେବନି କେବେ ମୂଲ୍ୟାୟନ
ଏହା ତ ଆମର ଚଳଣି
ପାରିବା କେମିତି ବା ଖୁଣି

ପ୍ରୟୋଜନରୁ ଅତି ବେଶି
ଲେଖିଲେ ହୋଇ ସଦା ଖୁସି
ଦିଶଇ ଅସଜଡ଼ା ପୃଷ୍ଠା
ନ ଥାଏ ସାଧନା କି ନିଷ୍ଠା

ନିଜର ଧାରଣାର ଦାସ
ହୋଇବା ଯାହାର ଅଭ୍ୟାସ
ସର୍ବଦା ହୁଏ ଆତ୍ମମୁଗ୍‌ଧ
ଭାଷା ପଛକେ ହେଉ ଦଗ୍‌ଧ

Comments are closed.